ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ପାଟଣାଗଡ଼ : ମାଟିତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଗଙ୍ଗାସାଗର ଗାଁରେ ଘଟିଛି ଘଟଣା । କର୍ଲାକଟା ଡ୍ୟାମ ନିଟକରୁ ଯୁବକଙ୍କ ଅଧା ପୋତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପାଟଣାଗଡ଼ ପୋଲିସ ।
ଗତକାଲି ସନ୍ଧ୍ୟାରେ ଗଙ୍ଗାସାଗର ଗାଁର କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ କଟା ମଝିରେ ମୃତଦେହ ପୋତା ଯାଇଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଖବରେ ଦେବା ପରେ, ମାଜିଷ୍ଟ୍ରେଟଙ୍କ ଓ ସାଇଣ୍ଟିଫିକ ଟିମ୍ ଉପସ୍ଥିତିରେ ମାଟି ତଳୁ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବଲାଙ୍ଗିର ଏସପି ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଗତକାଲି ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ଗ୍ରାମ୍ୟ ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଠାବ ହୋଇଥିଲା । ବଡ଼ପୋଖରୀ ଗାଁର ଜାଲିଆ ସିଂଙ୍କ ପତ୍ନୀ ସମବାରୀ ସିଂ, ଦାମ୍ପା ସିଂ ଓ ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ । ଏମାନଙ୍କୁ ଗାଁର କିଛି ବ୍ୟକ୍ତି ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ହତ୍ୟା ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି ।