ପ୍ରାସାଦ ଭଳି ବିଲ୍ଡିଂ ଚକାଚକ୍ ଏସି ରୁମ୍, ହେଲେ ଡାକ୍ତରଖାନାରେ ନା ଅଛନ୍ତି ଡାକ୍ତର ନା ଆସୁଛନ୍ତି ରୋଗୀ

ବାଙ୍କୀ: କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ପ୍ରାସାଦ ଭଳି ବିଲ୍ଡିଂ । ଚକାଚକ୍ ଶୀତତାପ ନିୟନ୍ତ୍ରିତ କୋଠରୀ । ହେଲେ ଡାକ୍ତରଖାନାରେ ନା ଅଛନ୍ତି ଡାକ୍ତର ନା ଆସୁଛନ୍ତି ରୋଗୀ । ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ସେବା ପାଇଁ ରହୁ ନାହାନ୍ତି ଡ଼ାକ୍ତର । ଯେଉଁ ଜଣେ ଦୁଇ ଜଣ ଆସୁଛନ୍ତି ସେମାନେ ବି ପାଳିରେ ଆସୁଛନ୍ତି । ସତେ ଯେମିତି ସେଠାରେ ଏକ ଡାକ୍ତରଖାନା ଅଛି ବୋଲି ଲୋକେ ଭୁଲି ଗଲେଣି ।

ଆମେ କେଉଁ ଉପାନ୍ତ ଅଞ୍ଚଳ ନୁହେଁ ଖୋଦ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ବାଙ୍କୀ ବ୍ଲକ ମହାନଦୀର ଉତ୍ତର ପାର୍ଶ୍ୱରେ ଥିବା ପୁରାତନ ସୁବର୍ଣ୍ଣପୁର ସ୍ଵାସ୍ଥ୍ୟ କେନ୍ଦ୍ର ବିଷୟରେ କହୁଛୁ । ଏହି ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ବାଙ୍କୀ ବ୍ଲକର ସାତଟି ଗ୍ରାମ ପଞ୍ଚାୟତ ଓ ତିଗିରିଆ ବ୍ଲକର ପାଞ୍ଚଟି ଗ୍ରାମ ପଞ୍ଚାୟତର ଲୋକେ ନିର୍ଭର କରିଥାଆନ୍ତି । ପ୍ରାୟ ଷାଠିଏ ହଜାର ଲୋକେ ନିର୍ଭର କରୁଥିବା ସ୍ଵାସ୍ଥ୍ୟ କେନ୍ଦ୍ରରେ ପାଞ୍ଚ ଜଣ ଡ଼ାକ୍ତରଙ୍କ ବଦଳରେ ଅଛନ୍ତି ଜଣେ ଡାକ୍ତର ସେ ବି ପୁଣି ପାଳିରେ ଆସୁଛନ୍ତି ।

ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତରଖାନାକୁ ନିୟମିତ ଆସୁ ନ ଥିବା ବେଳେ ପ୍ରଶାସନିକ କାର୍ଯ୍ୟରେ ବାଙ୍କୀ ବ୍ଲକ୍ ଓ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ଆସିବାରେ ବ୍ୟସ୍ତ ରହୁଛନ୍ତି । ଏଠାରେ ଦୁଇ ଜଣ ଡ଼ାକ୍ତର କାର୍ଯ୍ୟ କରୁଥଲେ । ହେଲେ ଜଣେ ଉଚ୍ଚ ଶିକ୍ଷା ପାଇଁ ଯାଇଥିବା ବେଳେ ଆଉ ଜଣଙ୍କୁ ଅନ୍ୟତ୍ର ବଦଳି କରାଯିବାରୁ ଏବେ ଡାକ୍ତର ଶୂନ୍ୟ ହୋଈ ପଡିଛି ଡାକ୍ତରଖାନା । ରକ୍ତ ମଳମୁତ୍ର ପରୀକ୍ଷା ପାଇଁ ନା ଅଛନ୍ତି କର୍ମଚାରୀ ନା ଅଛି ବ୍ୟବସ୍ଥା । ବାଧ୍ୟ ହୋଇ ଅନ୍ୟତ୍ର ଯାଉଛନ୍ତି ରୋଗୀ ଓ ବରିଷ୍ଠ ନାଗରିକ ।

ଏହି ଡାକ୍ତରଖାନାଟି ବାଙ୍କୀ ଆଠଗଡ଼ ରାସ୍ତାର କଡ ଅର୍ଥାତ ଅଂଶୁପା କୁଳ ଓ ସରଣ୍ଡା ପାହାଡ ନିକଟରେ ରହିଛି । ଏହା ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକ ବହୁ ଦୂର ଦୁରାନ୍ତରୁ ଆସୁଛନ୍ତି । ହେଲେ ଯଦି କାହାର କିଛି ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଛି ସେମାନେ ଆଠଗଡ଼ କିମ୍ବା କଟକ ଯିବାକୁ ବାଧ୍ୟ ହେଉଛନ୍ତି । ଗତ ସାଧାରଣତନ୍ତ୍ର ଦିବସରେ ପ୍ୟାରେଡକୁ ଆସୁଥିବା ଛାତ୍ର ଛାତ୍ରୀ ପିକଅପ ଭ୍ୟାନ୍ ଦୁର୍ଘଟଣାରେ ଆହାତ ହୋଈ ଏହି ସୁବର୍ଣ୍ଣପୁର ଡାକ୍ତରଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ଆସିଥିବା ବେଳେ ଡ଼ାକ୍ତର ନ ଥିବାରୁ ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାକୁ ନିଆ ଯାଇଥିଲା ।

ଏଭଳି ପରିସ୍ଥିତିରେ ଏବେ ଏଠାରେ ନିହାତି ଭାବେ ତିନି ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆ ନ ଗଲେ ଲୋକେ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ପଡ଼ିବାର ଭୟ ଦେଖାଦେଇଛି । ଚାଲିଛି ଚକା ଚକ୍ କୋଠରୀ ନିର୍ମାଣ କାର୍ଯ୍ୟ କିନ୍ତୁ ନା ଅଛନ୍ତି ଡାକ୍ତର ନାହିଁ ଆସୁଛନ୍ତି ରୋଗୀ । ତେଣୁ ଏଠାରେ କେବେ ଡାକ୍ତର ନିଯୁକ୍ତି ହେବେ ଏବେ ତାହା ଉପରେ ସମସ୍ତଙ୍କ ନଜର ।

Also read: OSRTC କାର୍ଯ୍ୟାଳୟରେ ସମ୍ପତ୍ତି ଆଟାଚ୍, ବସ୍‌ ମାଲିକଙ୍କୁ ବକେୟା ଫେରସ୍ତ ନକରିବା ମାମଲାରେ ନିର୍ଦ୍ଦେଶ