ମରିଗଲା ମାନବିକତା: ମହିଳା ଅସୁସ୍ଥ ହେବାରୁ ବସରୁ ଓହ୍ଲାଇ ଦେଲେ ଚାଳକ; ରାସ୍ତା ଉପରେ ପୁଅ ସାମ୍ନାରେ ଆଖି ବୁଜିଲା ମା’

ବ୍ରହ୍ମପୁର (କେନ୍ୟୁଜ): ବେଳେ ବେଳେ ମଣିଷ ନିଜର ସ୍ବାର୍ଥ ପାଇଁ ନିଜର ମାନବିକତାକୁ ହରାଇ ବସେ। ଏତେ ସ୍ବାର୍ଥପର ଏବଂ ସମ୍ବେଦନଶୂନ୍ୟ ହୋଇଯାଏ ଯେ ଅମଣିଷ ପାଲଟିଯାଏ। ସବୁ ହିତାହିତ ଜ୍ଞାନ ଭୁଲି ଯାଇ ଏପରି କାଣ୍ଡ କରିବସେ ଯାହା ଏକ ସୁସ୍ଥ ସମାଜରେ ଆଦୌ ଗ୍ରହଣୀୟ ନୁହେଁ। ଦୁନିଆରେ ଏପରି ବହୁ ଉଦାହରଣ ରହିଥିବାବେଳେ ପୁଣି ଏଭଳି ଘଟଣାର ପୁନରାବୃତ୍ତି ହୋଇଛି।

ଆଜ୍ଞା ହଁ ଦର୍ଶକବନ୍ଧୁ ପୁଣି ଏମିତି ଏକ ଘଟଣା ଘଟିଛି ଯେଉଁଠି ମଣିଷ ଭୁଲିଯାଇଛି ମାନବିକତା । ବସରେ ଯାତ୍ରା ସମୟରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାସ୍ତାରେ ଓହ୍ଲାଇଦେଇଥିଲେ ବସ କର୍ମଚାରୀ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରର ଜାତୀୟ ରାଜପଥ ୧୬ରେ । ମହିଳା ଜଣଙ୍କ ବସରେ ଯାଉଥିଲେ । ହେଲେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ବସ ଚାଳକ ଓ କର୍ମଚାରୀ ତାଙ୍କୁ ଓ ତାଙ୍କ ପୁଅଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଏପିରିକି ଅନ୍ୟ ଯାତ୍ରୀମାନେ ମଧ୍ୟ ସହଯୋଗର ହାତ ବଢାଇ ନଥିଲେ ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ୍ ଗୌତମୀ ପଞ୍ଚାୟତ ପଦ୍ମତୋଳା ଗ୍ରାମର ସୁଜିତ ସ୍ୱାଇଁ ତାଙ୍କ ଅସୁସ୍ଥ ମାଆ ରୁନୁ ସ୍ବାଇଁଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ୍ ଡାକ୍ତରଖାନାକୁ ନେଉଥିଲେ। ଉଭୟ ଏକ ଘରୋଇ ବସ୍‌ରେ ଯାତ୍ରା କରୁଥିବା ବେଳେ ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳ‌େ ଗଞ୍ଜାମ-ହୁମ୍ମା ରାସ୍ତାରେ ହଠାତ୍ ରୁନୁଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ଆଉ ନିରୁପାୟ ପୁଅ ସୁଜିତ କାକୁତିମିନତି ହୋଇ ମାଆଙ୍କୁ କୌଣସି ନିକଟ ଡାକ୍ତରଖାନାକୁ ନେଇଯିବା ଲାଗି କର୍ମଚାରୀ ଓ ଅନ୍ୟ ସହଯାତ୍ରୀଙ୍କୁ ଆକୁଳ ନିବେଦନ କରିଥିଲେ। କିନ୍ତୁ କେହି ମଧ୍ୟ ତାଙ୍କ କଥା ଶୁଣି ନଥିଲେ। ବରଂ ଗଞ୍ଜାମ ସହର ଶନିମନ୍ଦିର ଛକ ଜାତୀୟ ରାଜପଥ ଉପରେ ସୁଜିତ ଓ ରୁନୁଙ୍କୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ। କିଛି ସମୟ ମଧ୍ୟରେ ରାସ୍ତା ଉପରେ ହିଁ ରୁନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ସହ ପୋଲିସ ପାଟ୍ରୋଲିଂ ଟିମ୍ ପହଞ୍ଚିଥିଲେ। ସମାଜସେବୀ ସନ୍ତୋଷ ଗୌଡ଼ ଓ ଅଷ୍ଟମ ବାଟାଲିଅନ୍‌ର ରାଜେନ୍ଦ୍ର ନାୟକ ପହଞ୍ଚି ଆର୍ଥିକ ସହାୟତା ଯୋଗାଇବା ସହ ଏକ ଆମ୍ବୁଲାନ୍ସ୍‌ରେ ଶବ ଗ୍ରାମକୁ ପଠାଇଥିଲେ। ବସ୍ କର୍ମଚାରୀଙ୍କ ଏଭଳି ବ୍ୟବହାରକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.