ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ, ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଦେବେ ଯୋଗ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଟିମ୍ ମୋହନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ବି ଦିଲ୍ଲୀ ଗସ୍ତରୁ ଫେରିଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ୩ ଦିନିଆ ଗସ୍ତରେ ରାଜ୍ୟର ବିକାଶକୁ ନେଇ କେନ୍ଦ୍ରରେ ରୋଡ୍ ମ୍ୟାପ୍ ନେଇ ଆଲୋଚନା କରାଯାଇଛି ।

ସେପଟେ ଆଜି ବିଜେପିର ସମ୍ବର୍ଦ୍ଧନା ଉତ୍ସବ। ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମୋଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ଉପସ୍ଥିତ ରହିବେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଚଳିତ ନିର୍ବାଚନରେ ବିପୁଳ ବିଜୟ ପରେ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଦେବାକୁ ଦଳ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃବୃନ୍ଦ, ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ,ରାଷ୍ଟ୍ରୀୟ ଓ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ,ରାଜ୍ୟ ଓ ଜିଲ୍ଲାର ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ,ମଣ୍ଡଳ ସଭାପତି ଓ ସାଧାରଣ ସଂପାଦକ, ମ୍ୟୁନିସିପାଲିଟି, ଏନଏସି, ବ୍ଲକର ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ୱାର୍ଡ ମେମ୍ବର ଏବଂ କାର୍ଯ୍ୟକର୍ତା ଯୋଗ ଦେବେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ଆଜି ପ୍ରଥମ “ମନ୍ କି ବାତ୍ ” । ଏହି କାର୍ଯ୍ୟକ୍ରମକୁ ପ୍ରଦର୍ଶନୀ ପଡିଆ ଠାରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏକାଠି ଶୁଣିବେ ।