ଭଉଁରୀ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣା : ଆହତଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ପୁରୀ ବାଣ ବିସ୍ଫୋରଣରେ ଗୁରୁତର ହୋଇ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ମୋଟ ୧୮ଜଣ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ। ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ । ଆହତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଛି। ପ୍ରଥମ ୪୮ ଘଣ୍ଟା ବେଶ ଗୁରୁତ୍ବପୂର୍ଣ୍ଣ।
ଗତକାଲି ରାତିରେ ପୁରୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ଘଟିଥିଲା ଅଘଟଣ । ବାଣ ବିସ୍ଫୋରଣରେ ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଏସସିବିରେ ଜଣେ ଓ ହାଇହେଟ୍ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ବି ପ୍ରାୟ ୩୦ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଆହତଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏପଟେ ନରେନ୍ଦ୍ର ପୁଷ୍କରିଣୀରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଣ୍ଡର ଓ୍ବାଟର ସର୍ଚ୍ଚ ଇଞ୍ଜିନ ମେସିନ ଦ୍ୱାରା ଯାଞ୍ଚ କରାଯାଉଛି । ବିସ୍ଫୋରଣ ବେଳେ କିଛି ଲୋକ ପୁଷ୍କରିଣୀକୁ ଜୀବନ ବିକଳରେ ଡେଇଁ ପଡ଼ିଥିଲେ । କିଏ କିଭଳି ବାଣ ଫୁଟାଉଥିଲା ତାର ତଦନ୍ତ ହେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ଭଉଁରୀ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ବେଳେ ବାଣ ଫୁଟାଯାଇଥିଲା । ଏହି ସମୟରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ ।