କନ୍ଧମାଳରେ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପ୍ରଶାସନର ଅଭିନବ ଉଦ୍ୟମ, ଚାରିଆଡେ ହେଉଛି ଡ୍ରାଗନ୍ ଫ୍ରୁଟ ଚାଷ

ଏଣିକି କନ୍ଧମାଳରେ ମିଳିବ ଚୀନ ଦେଶର ଫଳ ଡ୍ରାଗନ୍ ଫ୍ରୁଟ କଥାଟା ବିଶ୍ଵାସ ନ ହେଉଥିଲେ ମଧ୍ୟ ସତ । ଏବେ କନ୍ଧମାଳରେ ଆରମ୍ଭ ହୋଇଛି ଡ୍ରାଗନ ଫଳ ଚାଷ । ଭାରତ ସରକାରଙ୍କ ସ୍ଵତନ୍ତ୍ର ସ୍କିମ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ଲାଇଭ ହୁଡ୍ ମିସନ ତଥା କର୍ମ ଯୋଗାଇବା ଯୋଜନାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ITDA ଜରିଆରେ ଜିଲ୍ଲାର ତିନୋଟି ଜାଗାରେ ପରୀକ୍ଷା ମୂଳକ ଭାବେ ୧୦ ଏକର ଜମିରେ ଡ୍ରାଗନ ଫ୍ରୁଟ ଚାଷ ଆରମ୍ଭ କରଯାଇଥିଲା । ଚଳିତ ବର୍ଷ ଜୁନ ମାସରୁ ଗଛରେ ଫଳ ଧରିବା ଆରମ୍ଭ ହୋଇଥିଲା ।
ଏନେଇ ପ୍ରଥମେ ଚାଷୀଙ୍କୁ ITDA ପକ୍ଷରୁ ଏକ୍ସପୋଜର ଭିଜିଟକୁ ନେଇ ଚାଷ ବିଷୟରେ ବୁଝାଇ ଥିଲେ । ପ୍ରଥମେ ପ୍ରତି ୫ ଫୁଟ ଛାଡି ଗାତ କରି ଚାରା ଲଗାଯାଏ ଏବଂ ଏହା କାକ୍ଟସ ବା ନାଗ ଫେଣି ପ୍ରଜାତିର ଗଛ ହୋଇଥିବାରୁ ଡ୍ରାଗନ ଗଛକୁ ଠିଆ କରିବା ପାଇଁ ସିମେଣ୍ଟ ଖୁଣ୍ଟ ବା ଲୁହ ଖୁଣ୍ଟ ଦରକାର ପଡେ । ଡ୍ରାଗନ ଫ୍ରୁଟ ଏକ ଲାଭଜନକ ଫସଲ । ଗୋଟିଏ ଗଛରେ ପ୍ରାୟ ଏକ ବର୍ଷ ଠାରୁ ୩୫/୪୦ ବର୍ଷ ପର୍ଯ୍ୟନ୍ତ ଫଳ ଧରେ ଏବଂ ଗୋଟିଏ ଫଳର ଓଜନ ପ୍ରାୟ ୫୦୦ ଗ୍ରାମ ହୋଇଥାଏ । ଏହା କିଲୋ ପ୍ରତି ୨୦୦ ରୁ ୨୫୦ ଟଙ୍କାରେ ବିକ୍ରି କରାଯାଏ ।
ଏହାର ବିକ୍ରି ବଟାର ଦାୟିତ୍ୱ ବର୍ତ୍ତମାନ ITDA ନେଇଛି । ଗତବର୍ଷ ୫ ଏକରରୁ ୫୦ କେଜି ଡ୍ରାଗନ ଫ୍ରୁଟ ବାହାରିଥିବା ବେଳେ ଚଳିତ ବର୍ଷ ୫ କୁଇଣ୍ଟାଲ ଫଳ ହୋଇଛି । ବର୍ତ୍ତମାନ ଏହାକୁ ବହୁଳ ଭାବରେ କିପରି ଚାଷ କରାଯାଇପାରିବ ଏନେଇ ଫୁଲବାଣୀ ITDA ପଦକ୍ଷେପ ନେଇଛି । ITDA ପକ୍ଷରୁ ଚାଷୀଙ୍କୁ ଚାରା, ଡ୍ରିପ, ସିମେଣ୍ଟ ମେଟେରିଆଲ, ତାର ବାଡ, ଖତ ମେଡ଼ିସିନ ଆଦି ମାଗଣାରେ ଯୋଗାଇ ଦିଆଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ଯୁବ ଗୋଷ୍ଠୀଙ୍କୁ ଡ୍ରାଗନ ଚାଷ ପାଇଁ ଆକୃଷ୍ଟ କରିବା ।
ଫିରିଙ୍ଗିଆ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷରୁ ନିବୃତ ରହିବା ପାଇଁ ଜିଲ୍ଲା ପ୍ରଶାସନର ଏହା ଏକ ଅଭିନବ ଉଦ୍ୟମ । କନ୍ଧମାଳର ଜଳବାୟୁ ଡ୍ରାଗନ ଫଳ ପାଇଁ ଉପଯୁକ୍ତ ହୋଇଥିବାରୁ ଏହାକୁ ସରକାର ଯଦି ପ୍ରୋତ୍ସାହନ ଦେଇ ଚାଷୀଙ୍କୁ ଉତ୍ସାହିତ କରନ୍ତେ ତାହେଲେ କନ୍ଧମାଳରେ ବହୁଳ ପରିମାଣରେ ଚାଷୀ ଡ୍ରାଗନ ଫଳ ଚାଷ କରିପାରନ୍ତେ । ଏହି ଫଳ ଖାଇବା ଦ୍ଵାରା ଓଜନ ହ୍ରାସ, ସୁଗାର କମ କରିବା, ହୃଦ ରୋଗ, ରକ୍ତ ବୃଦ୍ଧି, ଭରପୁର ପୋଷଣ, ଭିଟାମିନ –ସି ଭଳି ଅନେକ ଲାଭ ମିଳିଥାଏ ତେଣୁ ବଜାରରେ ଏହାର ଚାହିଦା ବେଶ ଅଧିକ ରହିଛି ।