ପାରାଦୀପରେ ଅଟକିଲା ଚୀନରୁ ଆସିଥିବା ଜାହାଜ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗିରଫ

ପାରାଦୀପ : ପାରାଦୀପରେ ଅଟକ ରହିଛି ଚୀନ ଜାହାଜ । ପାରାଦୀପରେ ଅଟକିଲା ଚୀନରୁ ଆସିଥିବା MJHEHAI 505 ଜାହାଜ । ଜାହାଜକୁ ଗିରଫ ପାଇଁ ନିଦ୍ଦେର୍ଶ ଦେଇଥିଲେ ହାଇକୋର୍ଟ । ଯଦି ତୁରନ୍ତ ଏହାକୁ ଅଟକା ନଯାଏ, ଏହି ଜାହାଜଟି ପାରାଦୀପ ବନ୍ଦର ଛାଡ଼ିଦେବାର ଆଶଙ୍କା ରହିଛି । ତେଣୁ ଜାହାଜକୁ ଅଟକ ରଖିବାକୁ ସୋମବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜାହାଜ ଅଟକ ରହିଛି । ଆଡମିରାଲିଟି ଆଇନ ଆଧାରରେ ଜାହାଜକୁ ଅଟକ ରଖାଯାଇଛି । ଅର୍ଥ ପ୍ରଦାନ ପ୍ରସଙ୍ଗରେ ଜାହାଜ ଅଟକ ରହିଛି । ‘ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍’ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜାହାଜର ମାଲିକ ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେଡିଂ ଲିମିଟେଡକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଡମିରାଲିଟି ଆଇନର ୨୦୧୭ ଧାରା (୪)(୧)(ଆଇ)ରେ ଏହି ମାମଲା ରୁଜୁ ହୋଇଥିଲା ।
ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଦସ୍ତାବିଜ୍ ଏବଂ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହାକୁ ଶୁଣିବା ପରେ ଏଥିରେ ପ୍ରାଥମିକ ପ୍ରମାଣ ଥିବା ଅନୁଭବ କରି ମାମଲା ବିଚାର ପାଇଁ ଗ୍ରହଣୀୟ ବୋଲି ହାଇକୋର୍ଟ କହିଛନ୍ତି। ଯଦି ଜାହାଜକୁ ଗିରଫ ପାଇଁ ଆଦେଶ ଦିଆନଯାଏ ତାହେଲେ ଆବେଦନକାରୀ ନିରାଶ ହେବେ। ଏବଂ ଯେଉଁ ମାମଲା ରୁଜୁ କରାଯାଇଛି ତାହା ମଧ୍ୟ ଅକାମୀ ହୋଇଯିବ। ତେଣୁ ଏହି ପରିପ୍ରେକ୍ଷୀରେ ତୁରନ୍ତ ଏହି ଜାହାଜକୁ ପାରାଦୀପ ବନ୍ଦରରେ ଗିରଫ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜାହାଜକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି । ଜାହାଜଟି ଏବେ କୋର୍ଟଙ୍କ ନିର୍ଦ୍ଦେଶନ ମିଳିବା ପର୍ଯ୍ୟନ୍ତ ବନ୍ଦରରେ ଅଟକ ରହିବ।