ନିର୍ବାଚନ ସରିବା ପରେ ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରୁ ହଟିଲା ଆଦର୍ଶ ଆଚରଣ ବିଧି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ନୂଆ ବିଧାନସଭା ଗଠନ ନେଇ ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ ତିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ନବ ନିର୍ବାଚିତ ବିଧାନସଭାର ସମ୍ବିଧାନ ସଂପର୍କିତ ବିଜ୍ଞପ୍ତି ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ରାଜ୍ୟପାଳ ମୁଖ୍ୟ ନିର୍ବାଚନ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ମାର୍ଚ୍ଚ ୧୬ ତାରିଖରୁ ବଳବତ୍ତର ରହିଥିଲା ଏହି ଆଚରଣ ବିଧି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି । ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି ।
ତେବେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର କିଛି ସ୍ଥାନରେ ଉପନିର୍ବାଚନ ଯୋଗୁଁ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି।