ବଦଳିଲା ଲକ୍ଷ୍ମୀ ବସର ରଙ୍ଗ : ସବୁଜରୁ ହେଲା ଗେରୁଆ, ନାଁ-ମୁଖ୍ୟମନ୍ତ୍ରୀ ବସ ସେବା
ଢେଙ୍କାନାଳ : ଗେରୁଆ ହେଲା ଲକ୍ଷ୍ମୀ ବସ୍ । ବଦଳିଲା ଲକ୍ଷ୍ମୀ ବସ ରଙ୍ଗ ଓ ନାଁ । ଲକ୍ଷ୍ମୀ ବସ୍ ନାଁ ପରିବର୍ତ୍ତନ କରାଯାଇ ନୂତନ ଭାବେ ଲେଖାଯାଇଛି ମୁଖ୍ୟମନ୍ତ୍ରୀ ବସ ସେବା । ଢେଙ୍କାନାଳ ବସଷ୍ଟାଣ୍ଡ ପରିସରରେ ଲକ୍ଷ୍ମୀ ବସ୍ ଗୁଡିକ ସବୁଜରୁ ଗେରୁଆ ରଙ୍ଗ ହେଉଛି । ବସରେ ଥିବା ଶଙ୍ଖ ଚିହ୍ନ ଗୁଡ଼ିକୁ ମଧ୍ୟ ହଟାଯାଇଛି। ପ୍ରଥମ ପର୍ଯ୍ୟାୟରେ ୮ଟି ବ୍ଲକ ପାଇଁ ୮ଟି ବସ୍ କୁ ଗେରୁଆ କଲର କରାଯାଇଛି। ଜିଲ୍ଲାର ୮ଟି ବ୍ଳକରୁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଯାତାୟତ କରିବା ପାଇଁ ସ୍ଥିର ହୋଇଥିବା ସୂଚନା ମିଳିଛି ।
ସରକାର ବଦଳିବା ପରେ ଏହି ବସ ସେବାର ଭବିଷ୍ୟତକୁ ନେଇ ଚର୍ଚ୍ଚା ହେଉଥିଲା । ଏହାରି ଭିତରେ କିନ୍ତୁ ସେବା ଚାଲୁ ରହିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ଏହାର ନାମ କିନ୍ତୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଭାବେ ପରିବର୍ତନ ହେବ ବୋଲି ସ୍ପଷ୍ଟ କରିଛନ୍ତି।
ଗତ ଜାନୁଆରି ୩୧ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୬୦ଟି ବସ୍ ୫୩ଟି ରୁଟ୍ରେ ଚାଲିବା ଲାଗି ସ୍ଥିର ହୋଇଥିଲା । ଏବେ ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ୨୫ଟି ଲକ୍ଷ୍ମୀବସ୍ ଓ ସଦର ବ୍ଲକ୍ ପାଇଁ ମଧ୍ୟ ୪ଟି ବସ୍ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଛି।