ଲକ୍ଷ୍ମୀ ବସକୁ ନେଇ ମନ୍ତ୍ରୀଙ୍କ ସ୍ପଷ୍ଟିକରଣ: ବଦଳୁ ନାହଁ ରଙ୍ଗ, କେବଳ ଷ୍ଟିକରିଂ ହେଉଛି

ଭୁବନେଶ୍ୱର : ବିଧାନସଭାରେ ଉଠିଛି ଲକ୍ଷ୍ମୀ ବସ୍ ପ୍ରସଙ୍ଗ । ଗୁରୁବାର ଲକ୍ଷ୍ମୀ ବସକୁ ନେଇ ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଲକ୍ଷ୍ମୀ ବସର ରଙ୍ଗ ଓ ନାମ ପରିବର୍ତ୍ତନ କରିବାର କାରଣ କଣ ? ଏନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଲକ୍ଷ୍ମୀ ବସ୍ ବନ୍ଦ କରିବା ଲାଗି କୌଣସି ନୀତି ଗତ ନିଷ୍ପତ୍ତ ହୋଇନାହିଁ । ସେହିପରି ଲକ୍ଷ୍ମୀ ବସରେ କୌଣସି ରଙ୍ଗ ଲାଗିନଥିଲା, କେବଳ ଷ୍ଟିକରିଂ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯାତ୍ରୀ ପରିବହନ ପାଇଁ ସମୁଦ ୮୯୦୨ ବସ୍ ଚାଲୁଛି । ତହିଁରୁ ୪୨୨ଟି ହେଉଛି ସରକାରୀ ବସ୍ ସାଧାରଣ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସମୟରେ ଲକ୍ଷ୍ମୀ ବସ୍‌ମାନଙ୍କରେ ଲାଗିଥିବା କିଛି ଚିହ୍ନ-ଷ୍ଟିକର ଏକ ରାଜନୈତିକ ଦଳର ଚିହ୍ନ ସହ ମେଳ ଖାଉଥିବାରୁ ସେଗୁଡ଼ିକୁ ହଟା ଯାଇଥିଲା । କିଛି ବସ୍ ଅସୁନ୍ଦର ଦେଖାଯିବାରୁ ଆଦର୍ଶ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପରିବହନ ନିଗମର ପୁରୁଣା ରଙ୍ଗକୁ ଉପଯୋଗ କରାଯାଇଛି। ତେଣୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳାଇବା ପାଇଁ କୌଣସି ଅର୍ଥ ଖର୍ଚ୍ଚ କରାଯାଇନାହିଁ। ତେବେ ଲକ୍ଷ୍ମୀ ବସ୍ ସେବାକୁ ମୁଖ୍ୟମନ୍ତ୍ରୀ ବସ୍ ସେବାରେ ପରିଣତ କରିବାର ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପାଖରେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।