ବୈକୁଣ୍ଠ ଧାମ ଆଶ୍ରମ ପାଇଁ ସାମୟିକ ଆଶ୍ବସ୍ତି, ଉଚ୍ଛେଦ କାର୍ଯ୍ୟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ

ଭୁବନେଶ୍ବର : ଖଣ୍ଡଗିରି ବାରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମ ପାଇଁ ସାମୟିକ ଆଶ୍ବସ୍ତି । ଆଜି ଭଙ୍ଗା ହେବନି ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ । ଉଚ୍ଛେଦ କାର୍ଯ୍ୟ ଉପରେ ଲାଗିଲା ଅନ୍ତରୀଣ ଅଙ୍କୁଶ । ଡିସେମ୍ବର ୧୨ ଯାଏଁ ଅନ୍ତରୀଣ ସୁରକ୍ଷା ମିଳିଛି । କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଡିସେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ବେଆଇନ ଭାବେ ସରକାରୀ ଜମିରେ ଆଶ୍ରମ ଗଢି ଉଠିଥିବା ନେଇ ଅଭିଯୋଗ ହୋଇଥିଲା । ବେଆଇନ ନିର୍ମାଣ ଭାଙ୍ଗିବା ଲାଗି ପ୍ରସ୍ତୁତି କରିଥିଲା BDA । ଆଶ୍ରମକୁ ଭାଙ୍ଗିବା ପୂର୍ବରୁ ମାଇକ ଯୋଗେ ଘୋଷଣା କରାଯାଇଥିଲା । ବୈକୁଣ୍ଠ ଧାମ ଆଶ୍ରମରେ ନାବାଳକଙ୍କୁ କଳକୀ ଅବତାର ସଜାଇ ଧର୍ମ ନାଁରେ ଚାଲିଥିଲା ବେପାର । ନାବାଳକ ବାବାଙ୍କ ପାଦ ତଳେ ତୁଳସୀ ରଖି ପୂଜା କରିବାର ଫଟୋ ଭାଇରାଲ ହେବା ପରେ ବିବାଦକୁ ଆସିଥିଲା ବୈକୁଣ୍ଠ ଧାମ ଆଶ୍ରମ । ସ୍ଥାନୀୟ ବାସିନ୍ଦାଙ୍କ ସହ ଜଗନ୍ନାଥ ପ୍ରେମୀ ଏହାକୁ ତୀବ୍ର ବିରୋଧ କରିଥିଲେ । ପ୍ରବଚନ ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା । ଥାନାରେ ଏତଲା ପରେ ଆଶ୍ରମର ନିର୍ମାଣ ନେଇ ଖୋଳତାଡ଼ କରିଥିଲା ଜିଲ୍ଲା ପ୍ରଶାସନ । ନିର୍ଦ୍ଦେଶ ପରେ ସାଧାରଣ ପ୍ରଶାସନ, ବିଏମସିଓ ବିଡିଏ ଆଶ୍ରମ ଜମି ମାପଚୁପ କରିଥଲେ । ଆଶ୍ରମ ୧୪୦ ଡିସିମିଲ୍ ସରକାରୀ ଜମିରେ ନିର୍ମାଣ ହୋଇଥିବା ମାପଚୁପରୁ ସ୍ପଷ୍ଟ ହୋଇଛି ।

You might also like