ଲୁଗା ଶୁଖାଉଥିବାବେଳେ ଲାଗିଲା ବିଦ୍ୟୁତ ତାର, ବଞ୍ଚାଇବାକୁ ଯାଇ ଦମ୍ପତି ମୃତ

କାମାକ୍ଷାନଗର : ଛତିଶଗଡ଼ରେ ଓଡ଼ିଆ ଦମ୍ପତି ମୃତ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତ ଦମ୍ପତି ହେଲେ ଢେଙ୍କାନାଳ କାମାକ୍ଷାନଗର ବାମ ପଞ୍ଚାୟତ ରଗଡାସାହିର ଦୁର୍ଯୋଧନ ମହାନ୍ତ ଓ ଭାରତୀ ମହାନ୍ତ ।
ସୂଚନା ଅନୁସାରେ, ଦୁର୍ଯ୍ୟୋଧନ ମହାନ୍ତ ଦୀର୍ଘ ବର୍ଷ ଧରି ଛତିଶଗଡ଼ ରାଜ୍ୟର କୋରବା ଜିଲ୍ଲାରେ ଥିବା କୁସୁମୁଣ୍ଡା କୋଲ ମାଇନ୍ସରେ ହାଇୱା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସେ ସେଠାରେ ନିଜ ସ୍ତ୍ରୀ ଓ ଏଗାର ବର୍ଷର ପୁଅ ସହ ରହିଆସୁଥିଲେ। ଗତକାଲି ସକାଳୁ ପୁଅ ସ୍କୁଲ ଯିବା ପରେ ସ୍ତ୍ରୀ ଭାରତୀ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଯ୍ୟୋଧନ ମହାନ୍ତ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ପରିବାର ଲୋକ ଛତିଶଗଡ଼ରେ ପହଞ୍ଚି ମୃତଦେହକୁ ନିଜ ଗାଁ ରଗଡ଼ାସାହିକୁ ଆଣିଥିବା ବେଳେ ସ୍ଥାନୀୟ ଗାଁ ଶ୍ମଶାନରେ ଦମ୍ପତିଙ୍କ ଶେଷକୃତ୍ୟ କରାଯାଇଛି । ଏହାକୁ ନେଇ ଗାଁ ଓ ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।