୨୪ ଘଣ୍ଟା ପରେ ବି ଜଣାପଡି ନାହିଁ ନବ ଦାସଙ୍କ ହତ୍ୟାକାଣ୍ଡର ଅସଲ କାରଣ, ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କୁ ହତ୍ୟା ଘଟଣାକୁ ଦୁଇ ଦିନ ବିତିଲାଣି । ତଥାପି ଜଣା ପଡ଼ିନି କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ କୃଷ୍ଣ ଦାସ ? ଏହା ପଛର କାରଣ କ’ଣ ? ଏହି ପ୍ରଶ୍ନ ଏଯାଏ କେବଳ ପ୍ରଶ୍ନବାଚୀ ହୋଇ ରହିଛି । କ୍ରାଇମବ୍ରାଞ୍ଚର ପଚରାଉଚରାରେ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣ ଦାସ ନିଜ ଦୋଷ ମାନିଛି । ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ସେ ବ୍ରଜରାଜନଗରରେ କ୍ୟାମ୍ପ କରି ତଦନ୍ତର ତଦାରଖ କରୁଛନ୍ତି । ଖୋଳତାଡ କରୁଛନ୍ତି ଦୁଇଟି ତଦନ୍ତକାରୀ ଟିମ୍‌ । କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା ଓ ଶିଶିର ମିଶ୍ରଙ୍କ ନେତୃତ୍ୱରେ ଟିମ୍‌ ତଦନ୍ତ ଚଳାଇଛି । ଏସଏଫଏଲର ଏକ୍ସପର୍ଟ ଟିମ୍‌ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ତଦନ୍ତରେ ସାମିଲ ଅଛନ୍ତି ଫୋରେନ୍‌ସିକ, ବାଲିଷ୍ଟିକ ଓ ସାଇବର ଏକ୍ସପର୍ଟ ଟିମ୍‌ । ଗୋଟିଏ ଟିମ୍‌ ବ୍ରଜରାଜନଗରରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ।

ଗୋପାଳ ଦାସଙ୍କ 9MM ପିସ୍ତଲ, ତିନି ରାଉଣ୍ଡ ଗୁଳି ଓ ମୋବାଇଲ୍‌ ଫୋନ୍‌ ଜବତ ହୋଇଛି । ବାଲିଷ୍ଟିକ ତଦନ୍ତ ପାଇଁ ପଠାଯାଇଛି ପିସ୍ତଲ ଓ ଗୁଳି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱାଧୀନ ଟିମ୍‌ ଭୁବନେଶ୍ୱରରୁ ନବ ଦାସଙ୍କ ଚିକିତ୍ସା ଦସ୍ତାବିଜ, ରକ୍ତ ଭିଜା ପୋଷାକ ଜବତ କରିଛି । ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି । ତାଙ୍କ ଭିସେରାକୁ ସଂରକ୍ଷିତ କରି ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.