ଅଳିଆ ଗଦାରେ ବସୁଛି ଦୈନିକ ବଜାର, ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଦାବି

ଅଳିଆ ଗଦାରେ ବସୁଛି ଦୈନିକ ବଜାର । ପୁରା ଦୁର୍ଗନ୍ଧମୟ ପରିବେଶ ଭିତରେ ଚାଲିଛି ପନିପରିବା କିଣାବିକା । ଦିନେ କି ଦୁଇଦିନ ନୁହେଁ ମାସ ମାସଧରି ଏହିଭଳି ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଖାଇବା ଜିନିଷ ବିକ୍ରୀ ହେଉଛି । ମୁହଁରେ କପଡାଦେଇ ପନି ପରିବା ବିକ୍ରୀ କରୁଛନ୍ତି ବ୍ୟବସାୟୀ । କେବଳ ବ୍ୟବସାୟୀ ନୁହଁନ୍ତି ଗ୍ରାହକର ଅବସ୍ଥା ବି ସମାନ । ପରିବେଶ ଏଭଳି ହୋଇଛି ଯେ ନାକକୁ ନ ଢାଙ୍କି ଏ ଭିତରେ ରହିବା ମୁସ୍କିଲ ହୋଇପଡୁଛି ସମସ୍ତଙ୍କ ପାଇଁ । କାରଣ ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ପରିବେଶ ।

କୁଢ କୁଢ ମଇଳା ଓ ଆବର୍ଜନାରେ ଭରପୁର ରହିଛି ପୁରା ପରିବେଶ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରର । ସାମାନ୍ୟ ବର୍ଷା ପରେ ଏବେ ବୀରମହାରାଜପୁର ଦୈନିକ ବଜାରର ଏଭଳି ଅବସ୍ଥା ହୋଇଛି । ଆଉ ଏଭଳି ଦୁର୍ଗନ୍ଧମୟ ଏବଂ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଛି ଦୈନିକ ବଜାର । ଯାହା ଫଳାରେ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ଅସୁବିଧା ଭୋଗୁଛନ୍ତି । ଚମ୍ପାମାଳ ଗ୍ରାମ ପଂଚାୟତ ପକ୍ଷରୁ ଦୈନିକ ବଜାରରୁ ଦୈନନ୍ଦିନ ଟ୍ୟାକ୍ସ ଅସୁଲ କରାଯାଉଥିଲେ ବି ଏହି ବଜାରର ସ୍ୱଚ୍ଛତା କିମ୍ବା ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହୋଇଛି । ଏଣୁ ତୁରନ୍ତ ଏ ଦିଗରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକରେ ରହିଥିବା ଏହି ଦୈନିକ ବଜାରର ବେଶ ନାଁ ରହିଛି । ପ୍ରତ୍ୟେକ ଦିନ ଏହି ବଜାରରେ ତାଜା ଏବଂ ସଠିକ ଦରରେ ପନି ପରିବା ମିଳୁଥିବାରୁ ବୀରମହାରାଜପୁର ଅଞ୍ଚଳ ସମେତ ପଡୋଶୀ ବୌଦ୍ଧ ଏବଂ ସମ୍ବଲପୁର ଜିଲ୍ଲାର ଲୋକମାନେ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ସେହିଭଳି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ଚାଷୀ ଏବଂ ବ୍ୟବସାୟୀ ମଧ୍ୟ ବଜାରରେ ପନିପରିବା ବିକ୍ରୀ କରି ଦୁଇ ପଇସା ଉପାର୍ଜନ କରିଥାନ୍ତି । ହେଲେ ଡ୍ରେନେଜ ବ୍ୟବସ୍ଥା ଠକ ନଥିବାରୁ ସାମାନ୍ୟ ବର୍ଷା ହେଲେ ଏଠାରେ ଜମି ରହୁଛି ମଇଳା ପାଣି । ସେହିଭଳି ସଫା କରାଯାଉ ନଥିବାରୁ ଦୈନିକ ବଜାରେ ପଡି ରହିଛି କୁଢ କୁଢ ମଇଳା । ବ୍ୟବସାୟୀଙ୍କଠାରୁ ଦୈନିକ ଟ୍ୟାକ୍ସ ନିଆଯାଉଥିଲେ ବି ପ୍ରଶାସନ ପକ୍ଷରୁ ଏହି ଦୈନିକ ବଜାରର ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ଦିଗକୁ ଦୃଷ୍ଟି ଦିଆନଯାଉଥିବା ଘଟଣାକୁ ନିନ୍ଦା କରିଛନ୍ତି । ଏବେ ଖରା ଦିନରେ ଦୈନିକ ବଜାରର ଏଭଳି ଅବସ୍ଥା ହୋଇଥିବାବେଳେ ଆଗକୁ ବର୍ଷାଦିନ ଆସିଲେ ଆହୁରି ଅସୁବିଧା ହେବ ବୋଲି ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ ପାଇଲା ପରେ ସ୍ଥାନୀୟ ବିଡିଓ ଦୈନିକ ବଜାରରେ ପହଂଚି ତାର ସ୍ୱଚ୍ଛତା ଏବଂ ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ତୁରନ୍ତ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Also Read:କମାଲ କଲେ ଆଦିବାସୀ ଝିଅ, ବାପା ମା’ ପାଖରେ ନଥିଲେ ବି ପାଠ ପଢ଼ି ହେଲେ ସ୍କୁଲ ଟପ୍ପର