ଇଏ କି ଅଭଦ୍ରାମୀ ! ଚିଠି ଦେବାକୁ ଯାଇଥିବା ଡାକ ପିଅନକୁ ମରଣାନ୍ତକ ଆକ୍ରମଣ

ଜଳେଶ୍ବର (କେନ୍ୟୁଜ) : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ପୋଷ୍ଟ ଅଫିସର ଡାକ ପିଅନ ପରିତୋଷ ଦଳାଇଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ମାଡ ମାରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଜାମଶୁଳୀ ପୋଷ୍ଟ ଅଫିସରେ କାର୍ଯ୍ଯରତ ଡାକ ପିଅନ ପରିତୋଷ ସବୁଦିନ ଭଳି ଗତକାଲି ଚିଠି ବାଣ୍ଟିବା ପାଇଁ ଯାଇଥିବା ବେଳେ ଗୁହାଳିପଦା ଗ୍ରାମର ବାସୁଦେବ ପରିଡାଙ୍କ ନାମରେ ଆସିଥିବା ଏକ ରେଜେଷ୍ଟ୍ରି ଚିଠି ଦେବା ପାଇଁ ତାଙ୍କ ଘରକୁ ଯାଇଥିଲେ। ତେବେ ରେଜେଷ୍ଟ୍ରି ଚିଠି ଦେବା ପୂର୍ବରୁ ଡାକବିଭାଗ ରେଜିଷ୍ଟାରରେ ଚିଠି ଗ୍ରହଣ କରୁଥିବା ଲୋକର ଦସ୍ତଖସ୍ତ ମାରିବା ପାଇଁ ଡାକ ବିଭାଗର ନିୟମ ରହିଛି ।

ସେଥିପାଇଁ ପରିତୋଷ ଚିଠି ଦେବା ପୂର୍ବରୁ ବାସୁଦେବଙ୍କୁ ରେଜିଷ୍ଟାରରେ ଦସ୍ତଖସ୍ତ ମାରିବା ପାଇଁ କହିଥିଲେ। ମାତ୍ର ବାସୁଦେବ ଦସ୍ତଖସ୍ତ ମାରିବେ ନାହିଁ ବୋଲି ମନା କରିବା ସହ ପରିତୋଷଙ୍କୁ ନିସ୍ତୁକ ମାଡ ମାରିଥିଲେ ଏବଂ ତାଙ୍କର ସମସ୍ତ ଦରକାରୀ ଚିଠି ଏବଂ କାଗଜ ପତ୍ର କୁ ନିକଟରେ ଥିବା ଏକ ପୋଖରୀକୁ ଫୋପାଡି ଦେଇଥିଲେ। କୌଣସି ସୂତ୍ରରୁ ଖବର ପାଇ ପରିତୋଷଙ୍କ ବାପା ଘଟଣା ସ୍ଥଳରେ ପହଞ୍ଚି ପୂଅକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବାସୁଦେବ ଉଭୟ ବାପ ଏବଂ ପୂଅକୁ ଇଟା ଫୋପାଡିବା ସହିତ ମାଡ ମାରିଥିଲେ। ଏନେଇ ପରିତୋଷ ସିଂଲା ଥାନା ରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜାମଶୁଳୀ ପୋଷ୍ଟ ଅଫିସ ରେ କାର୍ଯ୍ଯରତ ସମସ୍ତ କର୍ମଚାରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିବା ସହ ପୋଷ୍ଟ ଅଫିସରେ ଧାରଣା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.