ଯାଜପୁର : ଏଥର ଭକ୍ତ ମା’ ବିରଜାଙ୍କ ରଥ ଟାଣିବେ କି ନାହିଁ, ନିଷ୍ପତ୍ତି ଆସନ୍ତା ୪ ତାରିଖରେ

ଯାଜପୁର ଟାଉନ (କେନ୍ଯୁଜ୍): ଭାରତ ବର୍ଷର ୫୧ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ରଥଯାତ୍ରା ଭଳି ସ୍ୱତନ୍ତ୍ର ପରିମ୍ପରା । ମାଙ୍କ ଏହି ରଥଯାତ୍ରା ପ୍ରତିବର୍ଷ ପ୍ରତିପଦ ଠାରୁ ଆରମ୍ଭ ହୋଇ ମହାନବମୀ ପର୍ଯ୍ୟନ୍ତ ଚାଲିଥାଏ । ଏହି ରଥଯାତ୍ରାରେ ସାମିଲ ହୋଇ ମାଙ୍କ ରଥକୁ ଟାଣିବାକୁ ଭକ୍ତ ଅପେକ୍ଷା କରିଥାନ୍ତି ସେହି ଦିନକୁ । କିନ୍ତୁ ଗତ ବର୍ଷ କୋରୋନା ଜନିତ କଟକଣା ଯୋଗୁଁ ଭକ୍ତଙ୍କୁ ରଥ ଟାଣିବାର ସୁଯୋଗ ମିଳିନଥିଲା । କିନ୍ତୁ ଚଳିତ ବର୍ଷ କୋରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ଭକ୍ତ ରଥଟାଣିବାକୁ ଅନେଇ ବସିଛି । ସେପଟେ ରଥଟାଣିବା ନେଇ ଆସନ୍ତା ୪ ତାରିଖ ଦିନ ନିଷ୍ପତ୍ତି ନିଆଯିବ ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

ଶାରଦୀୟ ଦୂର୍ଗାପୂଜା ଆସିଲେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀର ହୋଇ ଉଠେ ଚଳଚଂଚଳ । କାରଣ ଏହି ଶକ୍ତିପୀଠ ରେ ମା ବିରଜାଙ୍କ ରଥଯାତ୍ରାର ଏକ ପ୍ରାଚୀନ ପରମ୍ପରା ରହିଆସିଛି । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ମାଙ୍କ ଚଳନ୍ତୀ ପ୍ରତିମା ପ୍ରତିବର୍ଷ ପ୍ରତିପଦ ଠାରୁ ରଥାରୁଢ଼ ହୋଇ ୯ ଦିନ ଧରି ପ୍ରତିଦିନ ରଥ ପରିକ୍ରମା କରିଥାନ୍ତି । ସେଥିପାଇଁ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ମହାରଣା ମାନେ ଦିନ ରାତି ଏକ କରି କାମରେ ଲାଗିଛନ୍ତି । ମାଙ୍କ ରଥ ସିଂହଧ୍ୱଜ ର ସାରଥୀ ହେଉଛନ୍ତି ସ୍ୱୟଂ ବ୍ରହ୍ମା । ଯେଉଁଥିରେ ରହିଛି ୧୨ଟି ଚକ । ୧୪ ହାତ ୪ ଆଙ୍ଗୁଠି ଲମ୍ବ, ୧୧ ହାତ ୯ ଆଙ୍ଗୁଠି ଓସାର ,ଏବଂ ୩୬ ହାତ ୧୬ ଆଙ୍ଗୁଠି ବିଶିଷ୍ଟ ଏହି ରଥରେ ଲାଗିଛି ୮୯୮ ଖଣ୍ଡ କାଠ ।

ଚଳିତ ବର୍ଷ କୋରୋନା ସ୍ଥିତିରେ ନିୟନ୍ତ୍ରଣ ଆସିଥିବାରୁ ଚଳିତ ବର୍ଷ ରଥ ଟାଣିବାକୁ ଆଶା ରଖିଛନ୍ତି ଭକ୍ତ । ଏଥିସହିତ ମାଙ୍କ ପାଦ ଦର୍ଶନ ନେଇ ମଧ୍ୟ ନିଷ୍ପତି ନେବ ଜିଲାପ୍ରଶାସନ । ଯେଉଁ ନିଷ୍ପତିକୁ ଅପେକ୍ଷା କରିଛନ୍ତି ସେବାୟତ । ଚଳିତ ବର୍ଷ ଭକ୍ତ ରଥଟଣା ଏବଂ ମାଙ୍କ ପାଦ ଦର୍ଶନରେ ସାମିଲ ହେବେ କି ନାହିଁ ସେ ନେଇ ଏକ ବୈଠକ ଆସନ୍ତା ୪ ତାରିଖ ଦିନ ବସିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । ପୂର୍ବ ବର୍ଷ ଭଳି ଶାରଦୀୟ ଦୂର୍ଗୋତ୍ସବ ଅବସରରେ ମାଙ୍କ ପୀଠରେ ଷୋଡସ ଦିବସୀୟ ପୂଜା ସଂପୁର୍ଣ୍ଣ କୋଭିଡ ଗାଇଡ ଲାଇନ ମଧ୍ୟରେ ପାଳନ ହେଉଛି । ତେବେ ମାଙ୍କ ରଥଟଣା ପର୍ବରେ ଶ୍ରଦ୍ଧାଳୁଙ୍କ ସାମିଲ ହେବା ନିଷ୍ପତିକୁ ନେଇ ସମସ୍ତ ଙ୍କ ଅପେକ୍ଷା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.