ଜନ୍ମବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ପୁରୀ : ଜନ୍ମବେଦୀରେ ତିନି ଠାକୁର । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ବିଜେ କରିଛନ୍ତି । ଆଜିଠାରୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ । ଆଜି ବାହାରିବ ପ୍ରଥମ ଆଡ଼ପ ଅବଢ଼ା। ଚାଲିଛି ପରିମାଣିକ ଓ ସାହାଣମେଳା ଦର୍ଶନ । ଲୋକମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଠାକୁରଙ୍କ ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଅପରାହ୍ନ ୨ଟା ସୁଦ୍ଧା ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ ଆସନ୍ତାକାଲି ହେରାପଞ୍ଚମୀ ଯୋଗୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଗୁଣ୍ଡିଚା ମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ପ୍ରାୟ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ଦର୍ଶନ ଚାଲୁରହିବ ।

ଗତକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରାର ତୃତୀୟ ଦିନରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ସନ୍ଧ୍ୟା ୭ଟା ୧୨ରେ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ମଦନମୋହନ, ରାମକୃଷ୍ଣଙ୍କ ପରେ ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥ ପହଣ୍ଡି ହୋଇ ଆଡ଼ପ ମଣ୍ଡପରେ ବିଜେ କରିଥିଲେ । ରାତି ୧୨ଟା ୨୦ଟା ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା ।