ନବବଧୂ ଭଳି ସଜେଇ ହୋଇଛି ଭୁବନେଶ୍ବର ଜିଲ୍ଲା ଜଜ୍ କୋର୍ଟ, ଆସନ୍ତାକାଲି ଉଦଘାଟନ କରିବେ ରାଷ୍ଟ୍ରପତି
ଭୁବନେଶ୍ବର : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତାକାଲି ଉଦଘାଟନ ହେବ ଭୁବନେଶ୍ବର ଜିଲ୍ଲା ଜଜ୍ କୋର୍ଟର ନୂଆ କୋଠା । ଏହି ନୂଆ କୋଠାକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦଘାଟନ ପୂର୍ବରୁ ନବବଧୂ ଭଳି ସଜେଇ ହୋଇଛି ଜିଲ୍ଲା ଜଜ୍ କୋର୍ଟ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ନୂଆ କୋଠା । ଅତ୍ୟାଧୁନିକ ଜ୍ଞାନକୋଶଳରେ କୋଠାଟି ନିର୍ମିତ ହୋଇଛି । ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ୫ ମହଲା କରାଯାଇଛି । ଏହା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ । କୋର୍ଟ ମଧ୍ୟରେ ମାଗଣା ୱାଇଫାଇ ବ୍ୟବସ୍ଥା କରାଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପାଇଁ ରହିଛି ୫ଟି ଗେଟ୍ । ଏହି କୋର୍ଟରେ ମୋଟ ୫୭ଟି କୋର୍ଟରୁମ ରହିଛି । କୋର୍ଟ ମଧ୍ୟରେ ବ୍ୟାଙ୍କ, ଡାକଘର ଭଳି ବିଭିନ୍ନ ବ୍ୟବସ୍ଥା ରହିଛି ।
ଏହି କୋର୍ଟରେ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର ଓ ଦୁଇଜଣ ନର୍ସ ରହିବାର ବ୍ୟବସ୍ଥା କରାଯାଇଛି । ଏହି କୋର୍ଟରେ ସମୁଦାୟ ୫୭ଟି କୋର୍ଟରୁମ ରହିଛି। ୫୭ଟି ବିଚାରପତିଙ୍କ ପାଇଁ ଚାମ୍ବର ରହିଛି । ୪ଟି କରିଡର୍ ରହିଛି। କାର୍ ଓ ବାଇକ୍ ମିଶାଇ ପ୍ରାୟ ୧୦୦୦ ଗାଡ଼ି ରହି ପାରିବା ଭଳି ବେସ୍ମେଣ୍ଟ ପାର୍କିଂ ବ୍ୟବସ୍ଥା ରହିଛି। ବେସ୍ମେଣ୍ଟରେ ବିଚାରପତିଙ୍କ ଲାଗି ୫୦ଟି ଚାରିଚକିଆ ଯାନର ପାର୍କିଂ ସୁବିଧା ରହିବ । ଏଥିସହ ଏଠାରେ ଏକ ବହୁତଳ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେଉଛି, ଯେଉଁଠାରେ ୪୫୦ଟି ଚାରିଚକିଆ, ୫୫୦ଟି ଦୁଇଚକିଆ ଯାନ ପାର୍କିଂ ନିମନ୍ତେ ସୁବିଧା ରହିବ । ସାଧାରଣ ଲୋକଙ୍କ ପାଇଁ ବିଶ୍ରାମ କକ୍ଷ, ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ କକ୍ଷ, ବ୍ରେଷ୍ଟ ଫିଡିଂ ରୁମ୍, ଓକିଲ ଓ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ରୁମ, ଶିଶୁମାନଙ୍କ ପାଇଁ ବେବି କ୍ରେଚ୍, ଇ ପାଠାଗାର, ସାଧାରଣ ପାଠାଗାର ଓ ଦୁଇଟି ସମ୍ମିଳନୀକକ୍ଷ ରହିଛି । ଆଇନଜୀବୀମାନଙ୍କ ପାଇଁ ସ୍ବତନ୍ତ୍ର କେସ ବାବଦରେ ଜାଣିବା ପାଇଁ କମ୍ପ୍ୟୁଟର ଆଦିର ବ୍ୟବସ୍ଥା କରାଯାଇଛି ।