ପୁରୀ ଯାତ୍ରୀଙ୍କ ଉପରେ ଜୁଲମ ଓ ଶୋଷଣ ଅଭିଯୋଗ, ଜିଲ୍ଲାପାଳ ଡାକିଲେ ଅଟୋ ସଂଘଙ୍କ ସମନ୍ୱୟ ବୈଠକ

ପୁରୀ: ଧର୍ମ, ସଂସ୍କୃତି, ଆଧ୍ୟାତ୍ମିକ ଓ ପର୍ଯ୍ୟଟନର ସହର ହେଉଛି ଶ୍ରୀକ୍ଷେତ୍ର । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ସମୟ ଅତିବାହିତ କରିବାକୁ ପୁରୀରେ ଭିଡ଼ ଲାଗେ ପର୍ଯ୍ୟଟକଙ୍କର । କେବଳ ରାଜ୍ୟ ନୁହେଁ ଦେଶ ବିଦେଶରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ଅତୀତରେ ବିଭିନ୍ନ ଇଷ୍ଟେଟ, ରାଜ୍ୟ ବା ଅଞ୍ଚଳ ଗୁଡିକୁ ଯାଇ ଶ୍ରୀମନ୍ଦିରର କୌଳିକ ପଣ୍ଡାମାନେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୁରୀକୁ ଆସିବା ଲାଗି ବୁଝାଉଥିଲେ । ସେମାନେ ପୁରୀରେ ପହଞ୍ଚିବା ପରେ ଏହି କୌଳିକ ପଣ୍ଡାମାନେ ସେମାନଙ୍କୁ ନିଜ ଘରେ କିଛି ଦିନ ରଖିବା ସହ ମହାପ୍ରଭୁଙ୍କ ଦର୍ଶନ କରାଇ ଥାନ୍ତି ।

ମହାପ୍ରସାଦ ଖୁଆଇ ସେମାନଙ୍କୁ ବିଦାୟ ଦେଉଥିଲେ । ପର୍ଯ୍ୟଟକମାନେ ଏହି ଆତିଥ୍ୟରେ ଖୁସି ହୋଇ ସେମାନଙ୍କ ପାରମ୍ପରିକ ଖାତାରେ ପ୍ରଶଂସା କରି ଲେଖି ଯାଉଥିଲେ । ପରେ କୌଳିକ ପଣ୍ଡାଙ୍କ ଗୁମାସ୍ତା, ସହାୟକମାନେ ସେହି ଅଞ୍ଚଳ ଗସ୍ତ କରି ଯାତ୍ରୀ ଖୁସିରେ ଦେଇଥିବା ଅର୍ଥ ଗ୍ରହଣ କରି ଆସୁଥିଲେ । ଏହା ଥିଲା ପ୍ରାଚୀନ ପରମ୍ପରା । ସମସ୍ତଙ୍କ ଇଚ୍ଛା ଓ ଉଦ୍ଦେଶ୍ୟ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ବା ପର୍ଯ୍ୟଟକ ଭଲ ଭାବନା ନେଇ ଫେରୁ । କିନ୍ତୁ ଏବେ ସମୟ ସହ ଯୁଗ ବଦଳିଛି । ଏବେ ସଡକ, ରେଳ ଓ ଆକାଶ ପଥରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପୁରୀ ଆସୁଛନ୍ତି ।

ବସ ଓ ଟ୍ରେନ ଯୋଗ ଆସୁଥିବା ଯାତ୍ରୀଙ୍କୁ ମାଳତୀପାଟପୁର ଆନ୍ତଃରାଜ୍ୟ ବସ ଟର୍ମିନାଲ, ବସଷ୍ଟାଣ୍ଡ ଓ ବିଶେଷ କରି ରେଳଷ୍ଟେ ସନରେ କିଛି ଅଟୋ ଚାଳକ ଜୁଲମ ଓ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଜୋର ଜବରଦସ୍ତ ସେମାନଙ୍କୁ ବିଭିନ୍ନ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ନେଇ ମନ ଇଛା ଟଙ୍କା ଆଦାୟ କରୁଥିବାର ମଧ୍ୟ ଅଭିଯୋଗ ରହିଛି । ଯେଉଁ ମାନେ ଅନଲାଇନ କିମ୍ବା ବିଭିନ୍ନ ଆପ୍ ମାଧ୍ୟମରେ ହୋଟେଲ ବୁକିଂ କରୁଛନ୍ତି ସେମାନେ କାର ଅଥବା ଅଟୋ ବୁକ କରି ହୋଟେଲରେ ପହଞ୍ଚି ଯାଉଛନ୍ତି ।

କିନ୍ତୁ ଅଧିକାଂଶ ଯାତ୍ରୀ ଓ ପର୍ଯ୍ୟଟକ ଷ୍ଟେସନରେ ପହଞ୍ଚିବା ପରେ ଅଟୋ ଚାଳକଙ୍କ ଦ୍ୱାରା ଠକାମୀର ଶିକାର ହେଉଛନ୍ତି । ଷ୍ଟେସନ ପ୍ଲାଟଫର୍ମରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ପ୍ରଲୋଭିତ କରି ହେଉ ଅଥବା ଜୋର ଜବରଦସ୍ତ ସେମାନଙ୍କୁ ବିଭିନ୍ନ ହୋଟେଲ ଓ ଲଜିଂକୁ ନିଆଯାଇଛି । ହୋଟେଲ ଓ ଲଜିଂ ସହ ଏହି ଅଟୋ ଚାଳକଙ୍କ ସଲା ସୁତୁରା ରହିଛି । ପୁରୀ ବସଷ୍ଟାଣ୍ଡ ସମେତ ରେଳ ଷ୍ଟେସନରେ ପ୍ରିପେଡ୍ ଅଟୋ ସେବା ଆରମ୍ଭ କରାଯାଇଥିଲା । ଷ୍ଟେସନରୁ ସହରର ବିଭିନ୍ନ ସ୍ଥାନକୁ ଯିବା ପାଇଁ ନିର୍ଦ୍ଧାରିତ ଦର ତାଲିକା ରହିଛି ।

କିନ୍ତୁ ଗୋଟିଏ ଦୁଇଟି ସଂଘ ଖୋଲାଖୋଲି ଏହାକୁ ଉଲ୍ଲଘଂନ କରି ମନଇଚ୍ଛା ଦର ନେଉଥିବା ଅଭିଯୋଗ ହୋଇଛି । ଏସବୁ ଅଭିଯୋଗ ପୁରୀ ଜିଲ୍ଲାପାଳ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି । ସମସ୍ତ ଅଟୋ ସଂଘକୁ ନେଇ ସମନ୍ୱୟ ବୈଠକ ସହ ପ୍ରିପେଡ୍ ଅଟୋ ସେବାର ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଭିଯୋଗ ଯଦି ସତ ତେବେ ପୁରୀକୁ ବୁଲିବା ପାଇଁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀ ଏଠାରୁ ତିକ୍ତ ଅନୁଭୂତି ନେଇ ଫେରିବେ ।

ଯାହା ରାଜ୍ୟ ତଥା ଶ୍ରୀକ୍ଷେତ୍ରର ସମ୍ମାନ ପ୍ରତି ଆଞ୍ଚ ଆଣୁଛି । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ସେହିଭଳି ପରିବହନ ଦାୟିତ୍ବରେ ଥିବା ଚାଳକମାନେ ମଧ୍ୟ ଏ ନେଇ ଭଲ ଭାବେ ସଚେତନ ହେବା ଜରୁରୀ ।