ଭୂମିକମ୍ପରେ ଥରିଲା ମାଲକାନଗିରି, ରିକ୍ଟର ସ୍କେଲରେ ତୀବ୍ରତା ୫.୩

ମାଲକାନଗିରି: ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ । ସକାଳ ୭ଟା ୨୮ରେ  ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ମାଲକାନଗିରି ସହିତ ଛତିଶଗଡ ଏବଂ ସୁକମା ବିଜାପୁରରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା ବେଳେ, ମୁଲୁଗୁରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିବା ଜଣାପଡିଛି ।

ଭୂକମ୍ପର ଝଟକାରେ ଲୋକେ ଘରୁ ବାହାରିଆସିଛନ୍ତି । ଭୂମିରୁ ୪୦ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡିଛି । ଏପଟେ ମହାରାଷ୍ଟ୍ର ଓ ଛତିଶଗଡରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ମୃଦୁ ଭୂକମ୍ପ କାରଣରୁ କୌଣସି ପ୍ରକାରେ କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି । କିନ୍ତୁ ଏନେଇ ଆନୁଷ୍ଠନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।