ପଲିଥିନ୍ ତଳେ ରହିଆସୁଛନ୍ତି ପୁରା ଗାଁ, କେବେ ପଡିବ ପ୍ରଶାସନର ଦୃଷ୍ଟି

ଗାଁରେ ମାତ୍ର ଦୁଇଟି ପରିବାରକୁ ଛାଡ଼ିଦେଲେ ଆଜିକୁ ବି ସମସ୍ତ ପରିବାର ପଲିଥିନ୍ ତଳେ ରହିଆସୁଛନ୍ତି । ସେମାନଙ୍କ ମୁଣ୍ଡ ଉପରେ ଆଜି ପର୍ଯ୍ୟନ୍ତ ଛାତଘର ଖଣ୍ଡେ ନାହିଁ । ଏ ସବୁ ଘରକୁ ଟିକିଏ ଦେଖନ୍ତୁ କିଭଳି ଭଙ୍ଗା ଦଦରା କାନ୍ଥରୁ ଖସୁଛି ଖଣ୍ଡ ଖଣ୍ଡ ଇଟା । ମୁଣ୍ଡ ଉପରେ ଛାତ ବଦଳରେ ପଡ଼ିଛି ଜାରି ପାଲ । ସେ ପୁଣି କଣା ହୋଇ ଚିରି ଯାଇଛି । ସେହି ବାଟ ଦେଇ ଖରା ବର୍ଷା ଶୀତ କାକର ସିଧା ଆସି ମୁହଁ ଉପରେ ପଡ଼ୁଛି । ହେଲେ ତଥାପି ସାହାରା ଏଇ ଜରିପାଲ ଖଣ୍ଡିକ । ସମସ୍ତ ପରିବାର ଦଳିତ ହୋଇଥିବାରୁ ହୁଏତ ସେମାନଙ୍କ ଦୁର୍ଦ୍ଦଶା ସରକାରଙ୍କ ନଜରକୁ ଆସିପାରିନାହିଁ ।
ରୋଜଗାର କହିଲେ ପର ଜମି ଚାଷ କରି ଚଳିବା । ପୁରୁଷ ଠାରୁ ଆରମ୍ଭ କରି ମହିଳା ପର୍ଯ୍ୟନ୍ତ ଏହି ଗାଁର ସମସ୍ତେ ଦିନମଜୁରିଆ ଭାବରେ କାର୍ଯ୍ୟ କରନ୍ତି । ପୁଷ୍ଟିଯୁକ୍ତ ଖାଦ୍ୟ ସେମାନଙ୍କ ପିଲାଛୁଆଙ୍କ ନିମନ୍ତେ ସତେ ଯେମିତି ସ୍ୱପ୍ନ । ସେଥିପାଇଁ କେତେକ ଏହାକୁ ଗୋପ ବ୍ଲକ୍ ନଗଡ଼ା ନାମରେ ନାମିତ କରିଛନ୍ତି । ଏବେ ଗୋପ ବ୍ଲକରେ ଆବାସ ଯୋଜନା ନିମନ୍ତେ ହିତାଧିକାରୀ ଚୟନ ଚାଲିଛି । ଗତ ସପ୍ତାହରେ ଏହି ଗାଁକୁ ଗୋପ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଏଡିଇଓ ସଂଜୟ କୁମାର ସେନାପତି ତଦନ୍ତ କରିଛନ୍ତି ।
ଏଠିକାର ସମସ୍ତ ପରିବାରଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତଦନ୍ତ ସବୁବେଳେ ହେଉଛି ହେଲେ ପ୍ରତିଥର ପ୍ରଶାସନ ପ୍ରତିଶ୍ରୁତି ଦେଇ ଦଶମାଣବାସୀଙ୍କୁ ଭଣ୍ଡାଇ ଦେବେନି ତ ସରକାର! ତେବେ ଏ ବର୍ଷ ସେମାନଙ୍କ ସ୍ବପ୍ନ ପୂରଣ ହେବ କି ନାହିଁ ତାହା ଭବିଷ୍ୟତ ହିଁ କହିବ । ଆମ ବ୍ୟବସ୍ଥା ଏବଂ ଯୋଜନା ଆଜି ବି ଅନେକଙ୍କ ପାଇଁ ପ୍ରହସନ । କାରଣ ଆଜି ବି ସରକାରୀ ଯୋଜନାରୁ ବଞ୍ଚିତ ହୋଇ ପରିବାର ସଦସ୍ୟ କାଟୁଛନ୍ତି ଦୁର୍ବିସହ ଜୀବନ । ଆଉ ଗରିବିର ତାଡନାରେ ଜର୍ଜରିତ ହେଉଛନ୍ତି ଅନେକ ପରିବାର ।