ଶୁଖିବାରେ ଲାଗିଛି ଚିରସ୍ରୋତା ମହାନଦୀ, ଚିନ୍ତାରେ ଲୋକେ
ସୁବର୍ଣ୍ଣପୁର: ଖରାଦିନ ଆସିବା ପୂର୍ବରୁ ମହାନଦୀର ସ୍ରୋତ କମିବାରେ ଲାଗିଛି । ଶୁଖିଲା ମହାନଦୀକୁ ନେଇ ନଦୀ ପାଶ୍ଵବର୍ତି ଲୋକଙ୍କ ଜୀବନ ଜିବିକା ପ୍ରଭାବିତ ହୋଇ ପଡିଛି । ଦିନକୁ ଦିନ ମହାନଦୀର ଜଳ ପ୍ରବାହ କମି କମି ଆସୁଥିବା ବେଳେ ଲୋକଙ୍କ ପାନୀୟ ଜଳସହ ଚାଷ ବାସରେ ମଧ୍ୟ ତାର ପ୍ରଭାବ ପଡିଛି । ଆଗକୁ ଖରାଦିନ । ଜଳସ୍ତର ଆହୁରି କମିବାର ଆଶଙ୍କା ରହିଛି । ଏବେଠୁ ମହାନଦୀର ସ୍ଥାନେ ସ୍ଥାନେ ଛୋଟ ଛୋଟ ଚେକଡ୍ୟାମ କରିବାକୁ ସାଧାରଣରେ ଦାବୀ ହେଉଛି । ମହାନଦୀର ଜଳ ସୁରକ୍ଷାକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ଲୋକଙ୍କ ହିତ ପାଇଁ ଏଯାଏଁ କିଛି ପଦକ୍ଷେପ ନିଆଯାଇ ପାରୁ ନଥିବା ଅଭିଯୋଗ ହୋଇଛି ।
ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ପାଖା ପାଖି ୧୦୦ କିଲୋମିଟର ଧରି ପ୍ରବାହିତ ହେଉଥିବା ବେଳେ ପାହାଡ ସଦୃଶ ପଥର,ସ୍ଥିର ନୀଳ ଜଳରାଶି, ବିସ୍ଥିର୍ଣ୍ଣ ସରୁବାଲିରେ ଭରପୁର ଥିବା ମହାନଦୀ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏପରିକି ମହାନଦୀର ଉଭୟ ପାର୍ଶ୍ଵରେ ଥିବା ଶତାଧିକ ଜନ ବସତି ମହାନଦୀ ଉପରେ ନିର୍ଭର କରି ଚଳୁଥିଲେ । ହେକ୍ଟର ହେକ୍ଟର ଚାଷ ଜମିକୁ ସେଚ ବ୍ୟବସ୍ଥାରେ ଚାଷ ମଧ୍ୟ ହେଉଥିଲା । ହେଲେ ପ୍ରାୟ ୧୦ ବର୍ଷରୁ ଅଧିକ ହେବ ମହାନଦୀର ପାଣି କ୍ରମଶଃ କମି କମି ଯାଉଛି । ଧିରେ ଧିରେ କମିବାରେ ଲାଗିଛି ଏହି ପ୍ରାକୃତିକ ଉତ୍ସ। ପ୍ରଭାବିତ ହେଉଛି ଲୋକଙ୍କ ଜୀବନ ଜୀବିକା ।
ଯେଉଁ ମହାନଦୀରେ ଜାନୁୟାରୀ ମାସରେ ୧୦ଫୁଟ ପାଣି ପ୍ରବାହିତ ହେଉଥିଲା । ସେହି ମହାନଦୀରେ ଲୋକେ ପାର ହୋଇ ଚାଲି ଚାଲି ଯିବା ଆସିବା କରୁଛନ୍ତି । ୩ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଯୁଆଡେ ଦେଖିବ ବାଲି ଆଉ ପଥରରେ ପରିପୂର୍ଣ୍ଣ ହୋଇଛି । ଆଗକୁ ଖରାଦିନ ଆସୁଛି। ମରୁଭୂମି ପାଲଟିଥିବା ଚିରସ୍ରୋତା ମହାନଦୀରେ ଛୋଟ ଛୋଟ ଚେକଡ୍ୟାମ ନିର୍ମାଣ କରବାକୁ ଦାବି କରିଛନ୍ତି ଏଠିକାର ଲୋକେ ।