ଭଞ୍ଜନଗର: ବାଘ ଭୟଠୁ ବଳିଗଲାଣି, ମିଛ ଭାଇରାଲ୍ ଭିଡିଓ । ତେବେ ସ୍ଥାନୀୟ ଲୋକେ କହୁଛନ୍ତି ବାଘ ଗାଈଗୋଠରୁ ଗାଈ-ବାଛୁରୀଙ୍କୁ ଟାଣିନେଇ ମାରି ଖାଉଛି । ସ୍ଥାନୀୟ ଅଞ୍ଚଳରେ ପାଦ ଚିହ୍ନ ମଧ୍ୟ ପଡୁଛି । ପାରିପାର୍ଶ୍ବିକ ଅବସ୍ଥାରୁ ଜଣାପଡ଼ୁଛି ବାଘ ବୋଲି । ତେଣୁ ବନବିଭାଗ ଟ୍ରାପ କ୍ୟାମେରା ଲଗାଯାଇଛି କିନ୍ତୁ ସେଥିରେ ବାଘର ଛବିଟିଏ ବି ଆସୁନି । କିନ୍ତୁ ଜନସାଧାରଣ ଅନୁମାନ କରୁଛନ୍ତି ବାଘ ବୁଲୁଛି । କ୍ଷତିଗ୍ରସ୍ତ ୧୭ ଜଣ ଗୋପାଳକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଗଲାଣି ।
କିନ୍ତୁ ବନବିଭାଗ ପକ୍ଷରୁ ଏଯାଏଁ ସରକାରୀ ଭାବେ ଘୋଷଣା କରାଯାଇନି ଏହା ବାଘ ବୋଲି । ତେବେ ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏକ ଭାଇରାଲ୍ ଭିଡିଓ । ଏହା ମିଛ ଭିଡିଓ ଏବଂ ଏଥିରେ କୈାଣସି ସତ୍ୟତା ନାହିଁ ବୋଲି କହୁଛନ୍ତି ବିଭାଗୀୟ ଅଧିକାରୀ । ଅନ୍ୟପଟେ ବାଘ ଭୟରେ ସ୍ଥାନୀୟ ଅଞ୍ଚଳବାସୀ ଏବଂ ଗୋପାଳକ ମାନେ ଏକପ୍ରକାର ଭୟଭୀତ ହୋଇ ପଡ଼ିଥିବା ବେଳେ ଭାଇରାଲ୍ ଭିଡିଓରେ ଆସୁଥିବା ବାଘର ଛବି ଏବେ ସ୍ଥାନୀୟ ଲୋକଙ୍କୁ ଅଧିକ ଭୟଭୀତ କରୁଛି ।
ତେବେ ଏ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ବାଘକୁ ନେଇ ଦେଖାଦେଇଥିବା ଘଟଣାକ୍ରମ । ଗତ ପ୍ରାୟ ୬ ମାସ ହେଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି ବାଘ । ଗାଈଗୋଠରେ ପଶି ଗାଈ-ଗୋରୁ ଏବଂ ବାଛୁରୀଙ୍କୁ ମାରୁଛି । ଘଡିଘଡିକେ ସ୍ଥାନ ବଦଳାଉଛି । ଗୋଟିଏ ସ୍ଥାନରେ ଥରେ ଶିକାର କରିଦେଲେ, କିଛି ଦିନ ବ୍ୟବଧାନରେ ସ୍ଥାନ ବଦଳାଇ ପୁଣି ଶିକାର କରୁଛି ।
ସରକାରୀ ହିସାବରେ ଏ ପର୍ଯ୍ୟନ୍ତ ୧୮ଟି ଶିକାର ହୋଇଛି । ସେଥିରୁ ୧୧ଟି ବାଛୁରୀ, ୪ଟି ଗାଈ ଏବଂ ୩ଟି ବଳଦ ରହିଛନ୍ତି । ତେବେ କ୍ଷତିପୂରଣ ବାବଦରେ ୨ ଲକ୍ଷ ୯୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା କ୍ଷତିଗ୍ରସ୍ତ ଗୋପାଳକମାନଙ୍କୁ ଦିଆଗଲାଣି । ହେଲେ ଏ ପର୍ଯ୍ୟନ୍ତ “ବାଘ” ବୋଲି ସ୍ପଷ୍ଟ କରିନି ବନବିଭାଗ । କିନ୍ତୁ ବାଘର ଉପସ୍ଥିତିକୁ ନେଇ ଲୋକେ ନିଶ୍ଚିତ ଅଛନ୍ତି । ଏବେ ଗାଈଗୋଠରେ ରହୁଥିବା ଗାଈ-ଗୋରୁ ଭଳି ଗୃହପାଳିତ ପଶୁମାନେ ଅସୁରକ୍ଷିତ ଅଛନ୍ତି ।
ବିଶେଷ କରି ଘୁମୁସର ଅଞ୍ଚଳର “ଘୁମୁସରୀ ଗାଈ” ସଙ୍କଟରେ ପଡ଼ିଛନ୍ତି ବୋଲି ସଂପୃକ୍ତ ସମିତିର ସମ୍ପାଦକ ଅଭିଯୋଗ ଆଣିଛନ୍ତି । ଏଭଳି ପରିସ୍ଥିତିରେ ଭାଇରାଲ୍ ହେଉଥିବା ଭିଡିଓ ସବୁ ଆମୁଳକ ବୋଲି କୁହାଯାଇଛି । ଗୋଟିଏ ପଟେ, ଅଦୃଶ୍ୟ ବାଘର ଭୟ ଅନ୍ୟପଟେ ଭାଇରାଲ୍ ଭିଡିଓ । ତେବେ କେବଳ ଏତିକି ଦେଖିବା ବାକି ରହିଲା ଏହି ଭାଇରାଲ୍ ଭିଡିଓ ପ୍ରସାରଣ କରୁଥିବା କିଛି ଗୋଷ୍ଠୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ।