ୟୁକ୍ରେନରେ ଫସିରହିଥିବା ଓଡିଆ ପୁଅ ପ୍ରଳୟ କୁମାରଙ୍କ ଉଦ୍ଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କଲେ ପରିବାର ବର୍ଗ

ଯାଜପୁର (କେନ୍ୟୁଜ): ଦୀର୍ଘଦିନ ଧରି ତିକ୍ତତା ଲାଗିରହିବା ପରେ ଆଜି ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଏହାରି ଭିତରେ ଭାରତୀୟ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଉଡ଼ାଣ ଭରିଥିବା ଏୟାରଇଣ୍ଡିଆ ବିମାନ ମଧ୍ୟ ଦିଲ୍ଲୀକୁ ପୁଣି ଫେରି ଆସିଛି। ୟୁକ୍ରେନ୍ ସମସ୍ତ ବିମାନ ସେବା ମଧ୍ୟ ବନ୍ଦ୍ କରିଦେଇଛି। ତେବେ ଯୁଦ୍ଧ ଘନଘଟା ଭିତରେ କିଛି ଭାରତୀୟ ଫେରି ଆସିଥିବା ବେଳେ ଏବେବି ପାଖାପାଖି ୨୦ ହଜାର ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି । ଏମାନଙ୍କ ମଧ୍ୟରେ ବହୁ ଓଡ଼ିଆ ମଧ୍ୟ ରହିଛନ୍ତି।
ଯାଜପୁର ଜିଲ୍ଲା କୋରାଇ ଥାନା ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ପୁଅ ପ୍ରଳୟ କୁମାର ନାୟକ ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି। ୟୁକ୍ରେନ ରେ ଯୁଦ୍ଧ ଖବର ଜଣାପଡ଼ିବା ପରେ ପ୍ରଳୟଙ୍କ ପରିବାର ବର୍ଗ ଭୟଭୀତ ହୋଇ ପଡିଛନ୍ତି। ଯଥାଶୀଘ୍ର ପୁଅଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ ନିବେଦନ କରିଛନ୍ତି ପରିବାର ବର୍ଗ।
ସୂଚନା ମୁତାବକ ପ୍ରଳୟ ଡାକ୍ତରୀ ପଢିବା ପାଇଁ ଦୀର୍ଘ ଦୁଇ ବର୍ଷ ହେବ ୟୁକ୍ରେନରେ ରହୁଛନ୍ତି। ସେ ଖାରକିବ୍ ନ୍ୟାସନାଲ ମେଡିକାଲ ୟୁନିଭରସିଟି ରେ MBBS ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି। କରୋନା ପାଇଁ ପ୍ରଳୟ ଗତ ୬ ମାସ ତଳେ ଘରକୁ ଆସିଥିବା ବେଳେ ଗତ କିଛିଦିନ ତଳେ ପୁଣି ଗାଁରୁ ୟୁକ୍ରେନ ଯାଇଥିଲେ।