ଝିଅ ଜନ୍ମ ହେବାରୁ ସୈତାନ ବାପାର ଜଘନ୍ୟ କାଣ୍ଡ, ଏକୋଇଶିଆ ଆଗରୁ ଶିଶୁକନ୍ୟାକୁ ଦେଲା ବିଷ

ନୀଳଗିରି ଥାନା ସିଙ୍ଗୀରି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ଜନ୍ମ ହେଲା ବୋଲି ବିଷ ଦେଇ ମାରିବାକୁ ବାପର ଉଦ୍ୟମ। ସିରିଞ୍ଜରେ ବିଷ ପୁରାଇ ୨୦ ଦିନର ଝିଅକୁ ଦେଇଥିଲା।ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟାକୁ ବାଲେଶ୍‌ର ମୁଖ୍ଯ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର (କେନ୍ୟୁଜ): ନୀଳଗିରି ଥାନା ସିଙ୍ଗୀରି ଗ୍ରାମରେ ଅଭାବନୀୟ ଘଟଣା। ଝିଅ ଜନ୍ମ ହେଲା ବୋଲି ବିଷ ଦେଇ ମାରିବାକୁ ବାପର ଉଦ୍ୟମ। ସିରିଞ୍ଜରେ ବିଷ ପୁରାଇ ୨୦ ଦିନର ଝିଅକୁ ଦେଇଥିଲା।ଗୁରୁତର ଅବସ୍ଥାରେ ନବଜାତ ଶିଶୁକନ୍ୟାକୁ ବାଲେଶ୍‌ର ମୁଖ୍ଯ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏପଟେ ଅଭିଯୁକ୍ତ ବାପାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁଯାଇ ସିଙ୍ଗୀରି ଗ୍ରାମର ଭାଗିରଥି ସିଙ୍ଘଙ୍କ ଝିଅ ତନ୍ମୟୀ ଗତବର୍ଷ ବାଲେଶ୍ୱର ସ୍ଥିତ ମଲିକାଶପୁର ନିକଟରେ ଚନ୍ଦନ ମାହାନାଙ୍କୁ ବିବାହ କରିଥିଲେ। ୨୦ ଦିନ ପୂର୍ବରୁ ଉଭୟଙ୍କ ଏକ କନ୍ଯା ସନ୍ତାନ ହୋଇଥିବା ବେଳେ ତନ୍ମୟୀ ଶିଶୁ ଜନ୍ମ ପରେ ବାପଘରେ ରହିଥିଲେ। ହେଲେ ଆସନ୍ତାକାଲି ଏକୋଇଶିଆ ପାଇଁ ସତ୍ୟନାରାୟଣ ପୂଜା କରିବାକୁ ସମସ୍ତ ପ୍ରସ୍ତୁତି ଥିବାବେଳେ ଜ୍ୱାଇଁ ଶ୍ଵଶୁର ଘରେ ପହଞ୍ଚିଥିଲେ।

ଗତକାଲି ଅଭିଯୁକ୍ତ ଚନ୍ଦନ ନିଜ ୨୦ ଦିନର ଝିଅକୁ ବିଷ ଇଞ୍ଜେକ୍ସନ ଦେଇ ମାରିବାକୁ ଉଦ୍ୟମ କରିଥିଲେ । ଚନ୍ଦନ ଚାହୁଁଥିଲେ ତାଙ୍କର ପୁଅ ହେଉ, ହେଲେ, ଝିଅ ହୋଇଥିଲା । ଯାହାକୁ ନେଇ ଚନ୍ଦନ ମତିଭ୍ରମ ହୋଇଯାଇଥିଲା । ଝିଅ ଜନ୍ମ ହେବାକୁ ସେ ଗ୍ରହଣ କରିପାରି ନଥିଲେ । ସିଙ୍ଗିରୀ ଆସି ମିତ୍ରପୁରରୁ ଏକ ଔଷଧ ଦୋକାନରୁ ଇଞ୍ଜେକ୍ସନ କିଣିଥିଲେ । ଏଥିରେ ବିଷ ମିଶାଇ ରାତିରେ ଝିଅର ହାତରେ ଦେଇଥିଲେ । ଝିଅ ହାତରୁ ରକ୍ତ ବାହାରୁ ଥିବା ଦେଖି ତାଙ୍କ ପତ୍ନୀଙ୍କ ସନ୍ଦେହ ହୋଇଥିଲା । ପଚାରିବାରୁ ଚନ୍ଦନ ଖସି ଯିବାକୁ ଉଦ୍ୟମ କରିଥିଲେ । ଶ୍ବଶୁର ନୀଳଗିରି ଥାନାକୁ ଖବର ଦେବା ପରେ ପୋଲିସ ପହଞ୍ଚି ଚନ୍ଦନକୁ ଅଟକ ରଖିଛି । ଘଟଣା ସ୍ଥଳରୁ ପୋଲିସ ବିଷ ଇଞ୍ଜେକ୍ସନ ଜବତ କରିଛି । ବର୍ତ୍ତମାନ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହି ଥିବା ବେଳେ ଚିକିତ୍ସା ଜାରି ରହିଛି ।