ସଇଁତଳାରେ ବୁଲା କୁକୁରଙ୍କ ଆତଙ୍କ, ଗୋଟିଏ ଦିନରେ ୧୭ ଜଣ ଆହତ
ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ସଇଁତଳାରେ ବୁଲା କୁକୁରଙ୍କ ଆତଙ୍କ । ଗୋଟିଏ ଦିନରେ ୧୭ ଜଣଙ୍କୁ କାମୁଡିଲା ବୁଲା କୁକୁର । ୭ ଜଣ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ଜଣେ ୨ ବର୍ଷିୟା ଶିଶୁ ଥିବା ଜଣାପଡ଼ିଛି । ଗୁରୁତର ଆହତ ବ୍ୟକ୍ତିମାନେ ସଇଁତଳା ଅଞ୍ଚଳର ଡୁମାଲପଡ଼ା, ପିପୃଟ ଓ ଡୁକେର, ଚରଚରା ଅଞ୍ଚଳର ବୋଲି ଜଣାପଡ଼ିଛି ।
ତେବେ ସଇଁତଳାରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି । କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି । ପ୍ରତ୍ୟେକ ଗଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି । ବିଶେଷକରି ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି।
ଏହାବ୍ୟତୀତ କୁକୁରମାନେ ରାସ୍ତାର ଏଣେତେଣେ ମଳତ୍ୟାଗ କରି ପରିବେଶକୁ ପ୍ରଦୂଷିତ କରୁଛନ୍ତି । ବନ୍ଧ୍ୟାକରଣ ଯୋଜନା ଦିଶାହରା ହୋଇପଡ଼ି ଥିବାରୁ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।