ମିଶନ ଶକ୍ତି ଦ୍ୱାରା ପରିଚାଳିତ ପ୍ରଥମ ସିନେମା ହଲରେ ଏବେ ତାଲା, ନିରାଶ ହୋଇ ଫେରୁଛନ୍ତି ଦର୍ଶକ

ରାଜ୍ୟରେ ଧିରେ ଧିରେ ବୁଡି ବୁଡି ଯାଉଛି ସିନେମା ଶିଳ୍ପ । ସାରା ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ପ୍ରଥମ ସିନେମା ହଲରେ ଏବେ ତାଲା ଝୁଲୁଛି । ଜିଲ୍ଲା ପ୍ରଶାସନ ଗୌତମ ବୁଦ୍ଧ ସଂସ୍କୃତି ଭବନକୁ ସିନେମା ହଲରେ ପରିଣତ କରି ଏହାର ପରିଚାଳନା ଦାୟିତ୍ୱ ମିଶନ ଶକ୍ତିକୁ ଦେଇଥିଲା । ଉନ୍ନତ ସାଉଣ୍ଡ ସହିତ ଦର୍ଶକଙ୍କ ପାଇଁ ଶୀତ ତାପ ନିୟନ୍ତ୍ରଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ଏଠାରେ ସିନେମାକୁ ବନ୍ଦ କରାଯାଇଥିଲା । ସେବେଠାରୁ ଏହି ମିଶନ ଶକ୍ତି ସିନେମା ହଲ ବନ୍ଦ ପଡିଛି । ଫଳରେ ପ୍ରତିଦିନ ସିନେମା ଦଖେିବାକୁ ଆସୁଥିବା ଦର୍ଶକମାନେ ନିରାଶ ହୋଇ ଫେରୁଛନ୍ତି ।

ରାଜ୍ୟରେ ସିନେମା ଶିଳ୍ପ ଦିନକୁ ଦିନ ରୁଗ୍‌ଣ ହେବାରେ ଲାଗିଛି । ସହରବାସୀ ଉନ୍ନତମାନର ସିନେମା ହଲରେ ସିନେମା ଦଖେିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ଯାଜପୁର ସହରରେ ଥିବା ଦୂର୍ଗା ଏବଂ ତ୍ରିମୂର୍ତ୍ତି ଅନେକ ବର୍ଷ ହେଲା ବନ୍ଦ ପଡିଥିବା ବେଳେ ଏକ ମାତ୍ର ବିରଜା ସିନେମା ହଲ ଅତି କଷ୍ଟେ ମଷ୍ଟେ ଚାଲୁଥିବା ଦେଖିବାକୁ ମିଳିଛି । ସିନେମା ଶିଳ୍ପକୁ ବଞ୍ଚାଇବା ପାଇଁ ଉନ୍ନତମାନର ହଲର ଆବଶ୍ୟକତା ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ସେପଟେ ଏହି ସିନେମା ହଲର ପରିଚାଳନା ପାଇଁ ନୂତନ ସଂସ୍ଥାକୁ ଦାୟିତ୍ୱ ଦିଆଯିବ ବୋଲି ଯାଜପୁର ବିଧାୟିକା ସୂଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ସଂସ୍କୃତି ଭବନକୁ ଉଭୟ ସିନେମା ହଲ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିବାକୁ ନିଷ୍ପତି ନେବା ଫଳରେ ପରିଚାଳନାଗତ ସମସ୍ୟା ଦେଖା ଦେଲା । ତେଣୁ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

You might also like