ହୀରାକୁଦର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ, ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା

ସମ୍ବଲପୁର : ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଏବେ ଡ୍ୟାମର ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ବର ୯ ଓ ଡାହାଣପାର୍ଶ୍ବର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୨.୭୧ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୫୪୪ କ୍ୟୁସେକ୍ ଜଳ । ନିଷ୍କାସନ ହେଉଛି ୨ ଲକ୍ଷ ୫୦ ହଜାର ୫୨୨ କ୍ୟୁସେକ୍ ଜଳ । ମୁଣ୍ଡଳି ଦେଇ ପ୍ରବାହିତ ହେଉଛି ୩ ଲକ୍ଷ ୭୩ ହଜାର ୩୪୭ ଘନଫୁଟ ଜଳ।
ଏଥିଯୋଗୁ ମହାନଦୀର ଶାଖା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଦୟା, ଭାର୍ଗବୀର ତଳ ଅଞ୍ଚଳକୁ ପାଣି ପଶିପାରେ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି। କେବଳ ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଛି । ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବାବେଳେ ଏବେ ଜଳସ୍ତର ୧୭.୩ ମିଟର ରହିଛି । ଉପରମୁଣ୍ଡରେ ସେମିତି ବର୍ଷା ନାହିଁ, ତେଣୁ ଜଳସ୍ତର କମିବ ବୋଲି ସେ କହିଛନ୍ତି ।
ସେହିପରି ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି) ସତର୍କ କରିଛନ୍ତି । ସେହି ଜିଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ପାଣି ପ୍ରବାହିତ ହେଉଥିବା ରାସ୍ତା, ବ୍ରିଜ୍ ଉପରେ ଯା’ଆସ ନ କରିବାକୁ ବାରଣ କରାଯାଇଛି ।