ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ, ରେଡ ବେଳେ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ । ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ । ତାଙ୍କର ଅମାପ ସଂପତ୍ତି ଠାବ ହୋଇଛି । ରେଡ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ସତ୍ୟ ପ୍ରକାଶ ସ୍ବାଇଁଙ୍କର ଭୁବନେଶ୍ବର ଝାରପଡ଼ାରେ ତାଙ୍କର ୪ ମହଲା କୋଠା ରହିଛି । ୩୩ଶହ ବର୍ଗଫୁଟ ଜମିରେ ଥିବା ଏହି କୋଠାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ।
ଭୁବନେଶ୍ବର, ଢେଙ୍କାନାଳ ଓ ବଲାଙ୍ଗିରରୁ ୪ ଟି ପ୍ଲଟ ଠାବ ହୋଇଛି । ୧୦ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ୨୪ ହଜାର ବ୍ୟାଙ୍କ ଡିପୋଜିଟ୍ ମିଳିଛି । ଚଢ଼ାଉ ବେଳେ ଜବତ ହୋଇଛି ନାମୀ ଦାମୀ କମ୍ପାନୀର ମଦ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା କାରଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ସତ୍ୟପ୍ରକାଶ ସ୍ବାଇଁ ୨୦୦୧ ମସିହା ଜୁନ ୫ରେ କୁଚିଣ୍ଡା ସବ ଜେଲରେ ସହକାରୀ ଜେଲରେ ଭାବେ ଯୋଗ ଦେଇଥିଲେ ।
୨୦୦୮ ମସିହାରେ ତାଙ୍କୁ ଜେଲର ପଦକୁ ପଦୋନ୍ନତି ମିଳିଥିଲା । ୨୦୧୭ରେ ସେ କେନ୍ଦୁଝର ଜିଲ୍ଲା ଜେଲର ଅଧୀକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ । ସେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ କାର୍ଯ୍ୟରତ ଥିବା ବେଳେ ହାଇ ପ୍ରୋଫାଇଲ୍ ଚିଟଫଣ୍ଡ ମାମଲାରେ ବିଚାରାଧୀନ କଏଦୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା । ଏବେ ଜୋର ଚର୍ଚ୍ଚା କେମିତି ସେ ଏତେ ସଂପତ୍ତି କମାଇଲେ ? କଏଦୀଙ୍କ ସହ ତାଙ୍କର ମଧୁଚନ୍ଦ୍ରିକା ରହିଛି କି ? ଜେଲରେ କଏଦୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି ସେ ମୋଟା ଅଙ୍କର ଟଙ୍କା ଆଦାୟ କରିଛନ୍ତି କି ? ଏସବୁ ଦିଗରୁ ଖୋଳତାଡ଼ ଚାଲିଛି ।