ଭୁବନେଶ୍ବର : ଫଟୋ ଦେଖି ଜାଣି ପାରୁଥିବେ ପିଲାଟି ଭାରି ଷ୍ଟାଇଲିସ୍ l ହେଲେ ସିଏ ଆଉ ଏ ଦୁନିଆରେ ନାହିଁ l ଘର ଲୋକଙ୍କ କହିବା କଥା ପ୍ରେମ ପାଇଁ ଜୀବନ ଚାଲିଗଲା ନିରଞ୍ଜନର l ଟ୍ରେନ୍ ଲାଇନ୍ ରୁ ମିଳିଛି ନିରଞ୍ଜନ ସାହୁଙ୍କ ମୃତଦେହ । ଭୁବନେଶ୍ବର ଡୁମୁଡୁମା ରାଘୁନାଥପୁର ଅଂଚଳର ଯୁବକ l ବାପା ମା ଆଉ ଗୋଟିଏ ଭଉଣୀକୁ ନେଇ ନିରଞ୍ଜନଙ୍କ ପରିବାର l ନିରଞ୍ଜନ ସାହୁ ଜଣେ ପ୍ଳମ୍ବର ଭାବରେ କାମ କରନ୍ତି l ପରିବାର ଲୋକଙ୍କ କହିଥିବା ସୂଚନା ଅନୁସାରେ ଦୁଇ ବର୍ଷ ତଳେ ଡୁମୁଡୁମାର ରୁଘୁନାଥପୁର ନିକଟ ସୁବାସ ବସ୍ତିରେ ରହୁଥିବା ଜଣେ ଯୁବତୀଙ୍କ ସହିତ ନିରଞ୍ଜନର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ପ୍ରେମିକା ଜଣକ କିନ୍ତୁ ଗୋଆରେ ରୁହନ୍ତି l ଏପଟେ ପ୍ରେମିକା ଘରର ଭଲ ମନ୍ଦ ସବୁ ବୁଝନ୍ତି ନିରଞ୍ଜନ l ପ୍ରେମିକା ଗୋଆ ରୁ ଯେତେବେଳେ ଆସି ପହଁଚିଲେ ଉଭୟ ମିଶି ବୁଲା ବୁଲି କଲେ l ଇତିମଧ୍ୟରେ ନିରଞ୍ଜନ ଦୁଇ ଦୁଇଟି ଦାମୀ ବାଇକ ମଧ୍ୟ କିଣି ବିକି ଦେଇଛନ୍ତି l ତେବେ ଘରର ଲୋକଙ୍କ କହିବା କଥା ଗତକାଲି ପ୍ରେମିକା ଆଉ ପ୍ରେମିକାର ମାଆ ଭଉଣୀ ସମସ୍ତେ ନିରଞ୍ଜନ ଘରକୁ ଆସି ଝଗଡା କରିଥିଲେ । ପାଟିତୁଣ୍ଡ କରି ଧମକ ଦେଇ ଯାଇଥିଲେ । କୌଣସି ଟଙ୍କା ପଇସା ଘଟଣାକୁ ନେଇ ପାଟିଗୋଳ ହୋଇଥିଲା ବୋଲି ପରିବାର ଲୋକେ ମନେ କରୁଛନ୍ତି l ତେବେ ଆଜି ସକାଳେ ମିଳିଥିଲା ନିରଞ୍ଜନଙ୍କ ମୃତ ଶରୀର l ଲୋକେ ତାକୁ ଟ୍ରେନ୍ ଦୁର୍ଘଟଣା ବୋଲି ମନେ କରିଥିଲେ । ହେଲେ ପରିବାର ଓ ସାଙ୍ଗସୀଥୀଙ୍କର ସଂଦେହ ହେଉଛି, ଏହା ଦୁର୍ଘଟଣା ନୁହେଁ । ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ।
ନିରଞ୍ଜନଙ୍କ ପରିବାର ଲୋକେ ସିଧାସଳଖ ଆଙ୍ଗୁଠି ଉଠାଇଛନ୍ତି ପ୍ରେମିକା ପରିବାର ଉପରକୁ । ମୃତ୍ୟୁ ପାଇଁ ସେଇମାନେ ହିଁ ଦାୟୀ ବୋଲି କହିଛନ୍ତି । ତେବେ ପୋଲିସକୁ ଭରସା କରିଛନ୍ତି ସେମାନେ ମୃତ୍ୟୁ । ତଦନ୍ତରୁ ନ୍ୟାୟ ମିଳିବ ବୋଲି ଆଶା କରିଛନ୍ତି । ଅନ୍ୟପଟେ ପ୍ରେମିକା କହୁଛନ୍ତି କିଛି ଭିନ୍ନ କଥା । ନିରଞ୍ଜନଙ୍କ ସହ ପ୍ରେମ ସମ୍ପର୍କକୁ ସ୍ବୀକାର କରିଛନ୍ତି । ଏମିତିକି ତାଙ୍କୁ ବାହା ହୋଇଥାନ୍ତେ ବୋଲି କହିଛନ୍ତି । ହେଲେ ଝଗଡ଼ାର କାରଣ ୩ ଲକ୍ଷ ୭୦ ହଜାର ଟଙ୍କା ବୋଲି କହିଛନ୍ତି । ତାଙ୍କୁ କିଛି ନକହି ଏଟିଏମରୁ ପଇସା ସବୁ ନେଇ ଯିବା ପରେ ସେ ନିରଞ୍ଜନଙ୍କୁ ଏ ନେଇ ପଚରା ଉଚରା କରିଥିଲେ ବୋଲି କହିଛନ୍ତି ।