ଚିଠିରେ ଶେଷ ଇଚ୍ଛା ଲେଖି ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ, ବନ୍ଦ ଘରୁ ମିଳିଲା ମୃତଦେହ

ଭଦ୍ରକ : ଚିଠିରେ ଶେଷ ଇଚ୍ଛା ଲେଖି ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ । ଘଟଣାସ୍ଥଳରୁ ସୁଇସାଇଡାଲ୍ ନୋଟ ଜବତ କରିଛି ପୋଲିସ । ଏଥିରେ ଦୁଇଟି ଫୋନ୍ ନମ୍ବରକୁ ମୃତ୍ୟୁ ଖବର ଜଣାଇବା ପାଇଁ ଉଲ୍ଲେଖ ରହିଛି । ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଜଗନ୍ନାଥପୁର ଅଞ୍ଚଳରେ । ମୃତ ଛାତ୍ରୀ ଈଶ୍ୱରୀ ଦାସଙ୍କ ଘର ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳରେ ।

ବାପା କାଳନ୍ଦୀ ଦାସ ଭଦ୍ରକରେ ରହି ଚାକିରି କରୁଥିବାରୁ ପୁରା ପରିବାର ଭଦ୍ରକରେ ରହିଆସୁଥିଲେ । ଚଳିତ ବର୍ଷ ଈଶ୍ୱରୀ ମାଟ୍ରିକ୍ ପାସ କରିବା ପରେ କଟକର ଏକ ଘରୋଇ ଇଂଜିନିୟରିଂ କଲେଜରେ ଡିପ୍ଲୋମା ପଢ଼ୁଥିଲେ । ରାତିରେ କଟକରୁ ଆସି ନିଜ ମାଆ ସହ କଥା ହେବା ପରେ ଶୋଇବାକୁ ଯାଇଥିଲେ । ସକାଳୁ ପଡ଼ୋଶୀ ଝରକା ବାଟେ ଝିଅର ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଘଟଣାର ଖବର ପାଇ ସହରାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଚିଠିରେ ଉଲ୍ଲେଖ ଥିବା ଦୁଇଟି ନମ୍ୱର କାହାର ? ତେବେ ଏହାଏକ ପ୍ରେମ ଜନିତ ମୃତ୍ୟୁ ନେଇ ସନ୍ଦେହ କରାଯାଉଥିବା ବେଳେ ନୋଟରେ ଉଲ୍ଲେଖ ନମ୍ବରକୁ ଯାଞ୍ଚ କରି ଅଭିଯୁକ୍ତର ଗିରଫ ପାଇଁ ଅନୁରୋଧ କରିଛନ୍ତି ପରିବାର ଲୋକେ ।