ପାରାଦୀପ: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଜର୍ମାନୀର ଏକ କମ୍ପାନୀଙ୍କ ଆବେଦନ ଉପରେ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିପାଇଁ କୁଜଙ୍ଗ ସବ୍ଜଜ୍ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ । ଏମ.ଭି. ୱାଡି ଆଲବୋଷ୍ଟନ ଜାହାଜ ଆଙ୍କରେଜ ଇଲାକାରେ ଅଟକ ରହିଛି ।
ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା । ୫୫ ହଜାର ମେଟ୍ରିକ୍ ଟନ୍ ଲୁହାପଥର ଲୋଡ୍ କରି ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା । ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଜର୍ମାନୀର ଏକ କମ୍ପାନୀ ଦାବି କରିଛି। ଉକ୍ତ କମ୍ପାନୀ ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ୧୫ ଦିନ ତଳେ ଚାଇନାର ଆଉ ଏକ ଜାହାଜକୁ ଗିରଫ କରାଯାଇଥିଲା। କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜାହାଜ ଅଟକ ରହିଥିଲା । ଆଡମିରାଲିଟି ଆଇନ ଆଧାରରେ ଜାହାଜକୁ ଅଟକ ରଖାଯାଇଥିଲା । ଅର୍ଥ ପ୍ରଦାନ ପ୍ରସଙ୍ଗରେ ଜାହାଜ ଅଟକ ଥିଲା । ‘ଲୋ ସଲଫର ମ୍ୟାରିନ୍ ଗ୍ୟାସ୍ ଅଏଲ୍’ କାରବାରକୁ ନେଇ ଉଭୟ ଆବେଦନକାରୀ ଟ୍ରେଡିଂ ସଂସ୍ଥା ଏବଂ ଜାହାଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଜାହାଜର ମାଲିକ ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେଡିଂ ଲିମିଟେଡକୁ ୯୯ ଲକ୍ଷ ୮୧ ହଜାର ୫୫୩ ଟଙ୍କା ପ୍ରଦାନ କରିବା କଥା । କିନ୍ତୁ ଜାହାଜ ମାଲିକ ଏହି ଅର୍ଥ ନଦେବାରୁ ଆବେଦନକାରୀ ଟ୍ରେଡିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଡମିରାଲିଟି ଆଇନର ୨୦୧୭ ଧାରା (୪)(୧)(ଆଇ)ରେ ଏହି ମାମଲା ରୁଜୁ ହୋଇଥିଲା ।