ଉଚ୍ଚ ଶିକ୍ଷା ସଚିବଙ୍କ ବିରୋଧରେ ଥିବା ୨ ଅଦାଲତ ଅବମାନନା ମାମଲା ବନ୍ଦ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ଉଚ୍ଚ ଶିକ୍ଷା ସଚିବଙ୍କ ପାଇଁ ଅତୀତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ୨ ଚର୍ଚ୍ଚିତ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନବରଙ୍ଗପୁର ଖତିଗୁଡାସ୍ଥିତ ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲେଜ ଓ କଳାହାଣ୍ଡି ଜିଲ୍ଲା ଜୟପାଟଣାସ୍ଥିତ ଇନ୍ଦ୍ରାବତୀ ହାୟର ସେକେଣ୍ଡାରି ସ୍କୁଲ ଅଧ୍ୟାପକ ଓ କର୍ମଚାରୀଙ୍କୁ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ପ୍ରଦାନ ପ୍ରସଂଗରେ ୨୦୧୫ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଏହି ଦୁଇ ଅଦାଲତ ଅବମାନନା ମାମଲା ରୁଜୁ ହୋଇଥିଲା ।

ଅଦାଲତ ଅବମାନନା ମାମଲାରେ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗ ହାଇକୋର୍ଟେର ରିଟ୍‌ ଅପିଲ ଦାୟର କରିଥିଲା । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ରିଟ୍‌ ଅପିଲର ଶୁଣାଣି କରି ଉଚ୍ଚ ଶିକ୍ଷା ସଚିବଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୫, ଏପ୍ରିଲ ୧୬ର ନିର୍ଦ୍ଦେଶ ସରକାର ଉଲ୍ଲଂଘନ କରି ନାହାନ୍ତି ବୋଲି ହାଇକୋର୍ଟ କହିଛନ୍ତି । ଅଦାଲତ ଅବମାନନା ମାମଲାରେ ପ୍ରଦାନ କରାଯାଇଥିବା ୨୦୨୧ ଫେବ୍ରୁଆରି ୫, ଏପ୍ରିଲ ୧୫ ଓ ଏପ୍ରିଲ ୨୯ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଏଥି ସହିତ ଦୁଇ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.