ବଡ଼ ଭାଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସାନଭାଇକୁ ଆଜୀବନ କରାଦଣ୍ଡାଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ବଡ଼ ଭାଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସାନଭାଇ ଚିତ୍ତରଂଜନ ଖୁଣ୍ଟିଆକୁ କଟକ ଜିଲା ଦୌରାଜଜ୍ ଅଦାଲତ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ତୃତୀୟ ‌ଦୌରା ଜଜ୍ ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨, ୨୦୧ ଓ ୩୪ରେ କିଶନନଗର ଥାନା ଅନ୍ତର୍ଗତ ରାମକୁମାରପୁରର ବାସିନ୍ଦା ଚିତ୍ତ ରଞ୍ଜନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୨ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି। ୨୦୧୦ ମସିହା ଜୁଲାଇ ୪ ତାରିଖରେ ଭାସ୍କର ଖୁଣ୍ଟିଆଙ୍କ ପୁଅ ବିଶ୍ବରଂଜନ ଖୁଣ୍ଟିଆ କାମ ପାଇଁ ରାଉରକେଲା ଯିବାକୁ ବାପାଙ୍କ ନିକଟରୁ ୧୫ଶହ ଟଙ୍କା ମାଗିଥିଲେ। ବିଶ୍ବରଂଜନଙ୍କୁ ଟଙ୍କା ମିଳି ନଥିଲା।

ଏ ନେଇ ଚିତ୍ତ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହିତ ବିଶ୍ବରଂଜନଙ୍କ ପାଟିଗୋଳ ହୋଇଥିଲା। ଚିତ୍ତ ଓ ଅନ୍ୟମାନେ ଲୁହା ରଡ୍ ଓ ଫୁଙ୍କନଳି, କେବୁଲ ଦ୍ବାରା ବିଶ୍ବରଂଜନଙ୍କୁ ଆକ୍ରମଣ କରିଥିଲେ। ବିଶ୍ବରଂଜନଙ୍କ ପତ୍ନୀ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡି ନଥିଲେ। ବାରିରେ ବିଶ୍ବରଂଜନଙ୍କୁ ପୋଡିବାକୁ ଉଦ୍ୟମ କରବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଏସସିବିକୁ ବିଶ୍ବରଂଜନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା।

ସେଠାରେ ପହଞ୍ଚିବାର କିଛି ମିନିଟ ପରେ ବଶ୍ବରଂଜନଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପତ୍ନୀଙ୍କ ଏତଲା ଆଧାରରେ କିଶନନଗର ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମୃତକଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ସହିତ ଅନ୍ୟମାନଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ହୋଇ ଏହି ଦଣ୍ଡାଦେଶ ହୋଇଛି। ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଜୟ କୁମାର ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।