ସାପ ପାଇଁ ଭାଙ୍ଗିଦେଲେ ଘର, ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜି ବିତୁଛି ଜୀବନ, ତିନି ବର୍ଷ ହେଲା ଶୁଣୁନି ପ୍ରଶାସନ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଶତାଧିକ ସାପ ବାହାରିବା ପରେ ତାଙ୍କ ଘର ଭଙ୍ଗା ଯାଇଥିଲା । ଘର ନିର୍ମାଣ ପାଇଁ ସହାୟତା ଦେବାକୁ ସ୍ଥାନୀୟ ପ୍ରଶାସନ ଲୋକ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିକୁ ତିନି ବର୍ଷ ହେବ ସହାୟତା ନ ଦେବାରୁ ପର ପିଣ୍ଡାରେ ମୁଣ୍ଡ ଗୁଞ୍ଜି ରହୁଥିଲେ । ଶେଷରେ ଯେଉଁ ୫ ଗୁଣ୍ଠ ଜମି ଥିଲା ତାକୁ ବିକ୍ରି କରି ଘର ନିର୍ମାଣ କଲେ ଓ ଏବେ ସମ୍ପୂର୍ଣ୍ଣ ଜମିହରା ହୋଇଯାଇଛନ୍ତି ।

ଖବର ଅନୁସାରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନାଆମୀ ଗାଁର ଦାଶରଥୀ ଜେନା ଓ ଅନ୍ନପୂର୍ଣ୍ଣା ଜେନାଙ୍କ ଘରୁ ୩ ବର୍ଷ ପୂର୍ବେ ଘରୁ ୨୭ଟି ନାଗ ଛୁଆ ସହ ଅଣ୍ଡା ବାହାରିଥିଲା । ସାପଗୁଡ଼ିକୁ ଉଦ୍ଧାର କରିଥିଲା ସ୍ନେକ ହେଲ୍ପ ଲାଇନ୍‌ । ପରେ ଗାଁରେ ସର୍ପାଘାତ ବଢ଼ିବାରୁ ଅନ୍ନପୂର୍ଣ୍ଣାଙ୍କ ଘରକୁ ଭାଙ୍ଗି ଦେଇଥିଲା ଜିଲ୍ଲା ପ୍ରଶାସନ । ଆଉ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ହେଲେ ଆଜିକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ପକ୍କା ଘର ଖଣ୍ଡିଏ ମିଳିପାରିଲା ନାହିଁ । ସାପ ବାହାରିବା ପୂର୍ବରୁ ୨୦୧୪ ମସିହାରେ ଦାଶରଥୀଙ୍କ ନାଁରେ ଏକ ଘର ଆସିଥିଲା । କିନ୍ତୁ ଗୋଟିଏ କିସ୍ତି ପରେ ଆଉ ଟଙ୍କା ମିଳିନଥିଲା । ତେଣୁ ବାଧ୍ୟହୋଇ ଜମି ବିକ୍ରି କରି ଟପ ଲେଭେଲ ପର୍ଯ୍ୟନ୍ତ ଘର କରିଥିଲେ ଦାଶରଥୀ ଆଉ ଅନ୍ନପୂର୍ଣ୍ଣା । ହେଲ ଏଯାଏଁ ଛାତ ପଡ଼ିପାରିଲା ନାହିଁ । ଫଳରେ ପର ପିଣ୍ଡାରେ ପାଲ ଟାଣି ବିତୁଛି ଦମ୍ପତିଙ୍କ ଜୀବନ ।

ମୂଲ ମଜୁରୀ ଲାଗି ଜୀବନ ନିର୍ବାହ କରୁଛନ୍ତି ଦାଶରଥୀ । ଏବେ ଚଳିବା ପାଇଁ ନାହିଁ ସମ୍ବଳ । ତେଣୁ ପ୍ରତିଶ୍ରୁତି ମୁତାବକ ଘର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷେ ପୂର୍ବରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇ ଦେଲେ ତୁରନ୍ତ ନୂଆ କାର୍ଯ୍ୟାଦେଶରେ ସହାୟତା ଦିଆଯିବ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.