ମଦ ଉଜାଡି ଦେଲା ସୁନାର ସଂସାର: ନିଶାଗ୍ରସ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟି ମାରିଦେଲା ସ୍ବାମୀ

କୋରାପୁଟ (କେନ୍ୟୁଜ): ମଦ ଉଜାଡି ଦେଲା ସୁନାର ସଂସାର। ମଦ୍ୟ ପାନକୁ ନେଇ ସୃଷ୍ଟି ହେଲା ପାରିବାରିକ ଅଶାନ୍ତି। ଫଳରେ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ। କୋରାପୁଟ ବ୍ଲକ ଦଶମନ୍ତପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ନିଜର ହିତାହିତ ଜ୍ଞାନ ଭୁଲି ଗଲା ମଦ୍ୟପ ନୃଶଂସ ସ୍ବାମୀ। ନିଜ ପତ୍ନୀ କୁ ଗୋଇଠା,ବିଧା ମାରିମାରି ଜୀବନରୁ ମାରିଦେଲା ସ୍ବାମୀ । ଦଶମନ୍ତପୁର ଥାନା ପୋଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଏହି ଘଟଣା ଅଭିଯୋଗରେ ସ୍ବାମୀକୁ ଥାନା ଅଟକ ରଖାଯାଇଛି । ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ କରାଯାଉଛି । ଦଶମନ୍ତପୁର ଥାନା ପିଣ୍ଡା ପଦର ପଞ୍ଚାୟତର ଖମ୍ବପଡା ଗାଁର ହରି ଚାଲାଣ ତା ଧର୍ମ ପତ୍ନୀ ଗୋମତୀ ଚାଲାଣକୁ ପିଟି ପିଟି ହତ୍ୟା କରିଥିବା ନେଇ ମୃତକର ସମ୍ପର୍କିୟ ଥାନାରେ ଏତଲା ଦେଇଛି।
ମହିଳାର ବାପା ମାଙ୍ଗତା ଜାନୀ କହିବା ଅନୁସାରେ ହରି ମଦ୍ୟପାନ କରିଥିବାରୁ ସ୍ତ୍ରୀ ଗୋମତୀ ପ୍ରବଳ ବିରକ୍ତ ହୋଇଥିଲା । ଏହାକୁ ନେଇ ଗତ ସନ୍ଧ୍ୟାରେ ପ୍ରବଳ ଯୁକ୍ତି ତର୍କ ହୋଇ ଉଗ୍ର ରୂପ ଧାରଣ କରିଥିଲା । ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଥିବା ହରି ଗୋମତୀ କୁ ନିର୍ଧୁମ ପିଟିଥିଲା । ଗୋଇଠା ,ବିଧା ,ଲାତ ମାଡ ମାରିବା ଫଳରେ ଅଚେତ ହୋଇ ମୃତ୍ୟ ଘଟିଥିଲା । ସକାଳ ହେବାରେ ସ୍ତ୍ରୀ ଗୋମତି ଆଉ ଉଠି ନଥିଲା । ଏହି ଖବର ଶ୍ବଶୁର ଘରକୁ ଜଣାଇବା ପରେ ଗୋମତିର ମୃତ୍ୟୁ ହୋଇଥିବାର ଜଣା ପଡିଥିଲା । ଅଭିଯୋଗ ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବା ସହ ପରିବାରକୁ ହସ୍ତାନ୍ତର କରିଛି ।