ବେଆଇନ ବାଲିଘାଟ ନେଲା ଜୀବନ, ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

ଭାଙ୍ଗି ରୁଜି ଚୁରମାର ହୋଇଯାଇଛି ବାଇକ । ରାସ୍ତା ଉପରେ ଚୂନା ଚୂନା ହୋଇ ପଡିଛି କାଚସବୁ । ବାଇକକୁ ଦେଖି ଆପଣ ଅନୁମାନ କରି ପାରୁଥିବେ ଏଥିରେ ଯାଉଥିବା ଲୋକର ଅବସ୍ଥା କ’ଣ ହୋଇଥିବ । ଏହି ବାଇକକୁ ଧକ୍କା ଦେଇଛି ବେଆଇନ ଭାବେ ପରିବହନ କରୁଥିବା ବାଲି ବୋଝେଇ ଟ୍ରାକ୍ଟର । ଆଉ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ହଁ ଆଜ୍ଞା ବେଆଇନ ବାଲି ଘାଟ ନେଉଛି ଜୀବନ । ଦିନ ରାତି ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ନିରୀହ ଯୁବକ ।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା କାଏମା ଗୋପନଗର ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳୁ ୨ଜଣ ଯୁବକ ଏକ ବାଇକରେ ଜାରକା ଅଭିମୁଖେ ଯାଉଥିବା ବେଳେ ଏକ ବାଲି ବୋଝେଇ ଟ୍ରାକ୍ଟର ଗୋପନଗର ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଚାଲିଗଲା ଭଗବାନପୁର ଗାଁର ଦେବାଶିଷ ମଲ୍ଲିକଙ୍କ ଜୀବନ । ଆଉ ଆହତ ହେଲେ ନୂଆପାଟଣା ଗାଁର ସାଗର ମଲ୍ଲିକ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବେଆଇନ ଭାବେ ବାଲି ପରିବହନ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଏପରିକି ଉତ୍ୟକ୍ତ ଲୋକେ ନଦୀବନ୍ଧ ରାସ୍ତାରେ ଦୀର୍ଘ ସମୟ ଧରି ଟାୟାର ଜାଳି ପ୍ରତିବାଦ କରିଥିଲେ । ମୃତକ ପରିବାରକୁ କ୍ଷତି ପୂରଣ ପ୍ରଦାନ ସହ ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ । ବ୍ରାହ୍ମଣୀ ଶାଖା କେଲୁଅ ନଦୀର ଏହି ଗୋପନଗର ବାଲି ଘାଟରୁ ବେଆଇନ ଭାବେ ଦିନ ରାତି ବାଲି ଲୁଟ ଚାଲିଛି । ସରକାରଙ୍କର ବ୍ୟାପକ ରାଜସ୍ୱ ହାନି ଘଟୁଛି ।

ଏସମ୍ପର୍କରେ ଅଂଚଳବାସୀ ପୋଲିସ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ଖବର ପାଇ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ଏପଟେ ଅତିରିକ୍ତ ତହସିଲଦାର ମୃତକ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇବା ପାଇଁ ଜିଲ୍ଲା ଖଣି ଉପନିର୍ଦ୍ଦେଶକଙ୍କୁ ଅବଗତ କରିଛନ୍ତି । ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏପଟେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏହି ଘଟଣା ପାଇଁ ପ୍ରଶାସନ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି । ପୂର୍ବରୁ ଏହି ବେଆଇନ ବାଲି ଚାଲାଣ ଯୋଗୁ ଏଠାରେ ଏକାଧିକ ଦୁର୍ଘଟଣା ଘଟିଥିବା ନଜିର ରହିଛି । ପ୍ରଶାସନ ଜାଣତରେ ଏସବୁ ବେଆଇନ କାର୍ଯ୍ୟ ଚାଲୁଛି । ହେଲେ କୌଣସି ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ । କଣ ଏମିତି ଜୀବନ ଯାଉଥିବା ଆଉ ପ୍ରଶାସନ ଆଖି ବୁଜିଥିବ ?

Also read: ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ, ୨୨ଟି ବେଆଇନ ବାଲି ବୋଝେଇ ଟ୍ରକ ଜବତ