ଭୁବନେଶ୍ୱର ସମେତ ଅଧିକାଂଶ ସ୍ଥାନର କାଳବୈଶାଖୀ ବର୍ଷା, ୧୮ ତାରିଖ ଯାଏ କାଳବୈଶାଖୀର ପ୍ରଭାବ, ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ବର୍ଷା ଆଣିଛି ତାତିରୁ ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ରାସ ପାଇଛି ଦିନ ତାପମାତ୍ରା । ଆଜି ଭୁବନେଶ୍ୱରରେ ମଧ୍ୟ କାଳ ବୈଶାଖୀ ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ଅଧିକାଂଶ ସ୍ଥାନର କାଳବୈଶାଖୀ ବର୍ଷା ଦ୍ବାରା ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇଛି। ଆଗାମୀ ୩ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ଉପକୂଳ ଓଡ଼ିଶାର ୭ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।
ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦କିମି ବେଗରେ ପବନ ପାଇଁ ୪ ଜିଲ୍ଲା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଭଳି ସ୍ଥିତି ୧୮ ତାରିଖ ଯାଏ ଲାଗି ରହିବ। ୧୮ ତାରିଖ ଯାଏ କାଳବୈଶାଖୀର ପ୍ରଭାବରେ ବର୍ଷା ସହ ତାପମାତ୍ରା କମିବା ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।