ଆନେସ୍ଥେସିଆ ଦେଇ ସ୍ତ୍ରୀକୁ ମାରିବା ଘଟଣା, ହତ୍ୟାର ଡେମୋ ଦେଖାଇଲା ପତ୍ନୀହନ୍ତା ସ୍ବାମୀ

ଭୁବନେଶ୍ୱର : ହତ୍ୟାର ଡେମୋ ଦେଖାଇଲା ହତ୍ୟାକାରୀ ସ୍ବାମୀ । ଭରତପୁରରେ ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା କରିବା ଘଟଣାରେ କ୍ରାଇମ୍ ସିନ ରିକ୍ରିଏସନ୍ କରିଛି ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର । ଜହ୍ଲାଦ ସ୍ବାମୀ ପ୍ରଦ୍ୟୁମ୍ନ କୁମାରକୁ ଶାମପୁର ଅଞ୍ଚଳରେ ଥିବା କ୍ରାଇମ୍ ସ୍ପଟକୁ ନିଆଯାଇଥିଲା। କେମିତି ସ୍ତ୍ରୀ ଶୁଭଶ୍ରୀକୁ ପ୍ରେମିକା ଘରକୁ ନେଇଥିଲା ତାହା ଦେଖାଇଥିଲା । ପୂର୍ବରୁ ଯୋଜନା ମୁତାବକ ସେଠାରେ ତାଙ୍କର ୨ ବାନ୍ଧବୀ ପୂର୍ବରୁ ପ୍ରସ୍ତୁତ ଥିଲେ । କେମିତି ସେଠାରେ ସ୍ତ୍ରୀକୁ ଇଞ୍ଜେକସନ ଦେଇ ହତ୍ୟା କରିଥିଲା ତାହା ଡେମୋ କରି ଦେଖାଇଲା ଅଭିଯୁକ୍ତ ପ୍ରଦ୍ୟୁମ୍ନ ।

ଅଭିଯୁକ୍ତ ସ୍ବାମୀକୁ ଦିନିକିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । ପୂର୍ବରୁ ଝାରପଡା ଜେଲରୁ ଭରତପୁର ଥାନାକୁ ଆଣି ପଚରା ଉଚୁରା କରିଛି ଭରତପୁର ପୋଲିସ। ହତ୍ୟାର ମୋଟିଭ କଣ ଥିଲା? କିଭଳି ଯୋଜନା କରିଥିଲା? କିଏ ଆଣିଲା ଆନେସ୍ଥେସିଆ, କିଏ ଦେଇଥିଲେ ଇଞ୍ଜେକସନ ? କିଭଳି ସ୍ତ୍ରୀ ଶୁଭଶ୍ରୀ ନାୟକଙ୍କୁ ଫାର୍ମାସିଷ୍ଟ ସ୍ବାମୀ ପ୍ରଦ୍ୟୁମ୍ନ କୁମାର ଆନେସ୍ଥେସିଆ ଇଞ୍ଜେକସନ ଦେଇଥିଲା ? ଏ ସମସ୍ତ ପ୍ରଶ୍ନ ଗୁଡାଇ ତୁଡାଇ ପଚାରିଛି ପୋଲିସ ।

ସୂଚନା ଅନୁସାରେ ଗତ୨୮ ତାରିଖରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ଶୁଭଶ୍ରୀଙ୍କ ମାଆ ହସ୍ପିଟାଲରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ । ଝିଅର ମୃତ୍ୟୁ ପାଇଁ ପ୍ରଦ୍ୟୁମ୍ନ ଓ ଦୁଇ ଯୁବତୀଙ୍କୁ ଦାୟୀ କରିଥିଲେ। ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ପ୍ରଦ୍ୟୁମ୍ନ ଓ ତାଙ୍କ ଦୁଇ ପ୍ରେମିକା ଓଭରଡୋଜ ଆନେସ୍ଥେସିଆ ଦେବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଓ ତାଙ୍କର ଦୁଇ ବାନ୍ଧବୀଙ୍କୁ ପୋଲିସ ଗିରଫ କରିଥିଲା ।

You might also like