ହଷ୍ଟେଲ ଛାଡିଲେ ଅନ୍ତେବାସୀ, ଥାନାରେ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ଗଞ୍ଜାମ: ପ୍ରଧାନ ଶିକ୍ଷକ ତାଗିଦ୍‌ କରିବାରୁ ହଷ୍ଟେଲ ଛାଡିଲେ ଅନ୍ତେବାସୀ । ଏଭଳି ଘଟଣା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହରର ସର୍ବ ପୁରାତନ ସଂସ୍କୃତ ଟୋଲ କବିସୂର୍ଯ୍ୟନଗର ବିଦ୍ୟାପୀଠରେ ଦେଖିବାକୁ ମିଳିଛି । ବିଦ୍ୟାପୀଠ ହଷ୍ଟେଲରେ ରହି ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ମୋଟ ୪୪ ଛାତ୍ରଙ୍କ ମଧ୍ୟରୁ ୩୯ ଛାତ୍ର ରାତିରେ ହଷ୍ଟେଲ ଛାଡି କୁଆଡେ ଚାଲି ଯାଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ ।

ଗତବର୍ଷ ବିଦ୍ୟାପୀଠଟି ୫ ଟି ରେ ରୂପାନ୍ତରିତ ହେବାପରେ ଅନ୍ତେବାସୀମାନେ ନାରାୟଣପୁର ଶାସନ ନିକଟ ବନ୍ଦ ବିଦ୍ୟାଳୟ କୋଠାରେ ରହୁଥିଲେ । କିନ୍ତୁ ସେଠାରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ର ରହିବା ଲାଗି ସୁବିଧା ନହେବା କାରଣରୁ ନବମ ଦଶମ ଶ୍ରେଣୀର ଛାତ୍ରମାନେ ରୂପାନ୍ତରିତ ନୂଆ କୋଠାରେ ରହୁଥିଲେ l କିନ୍ତୁ ନୂଆ କୋଠା ଶୌଚାଳୟରେ ଲାଗିଥିବା ପାଣି ଟ୍ୟାପ ଗୁଡିକ ଛାତ୍ରମାନେ ବାରମ୍ବାର ଭାଙ୍ଗିଲେ । ଏନେଇ ପ୍ରଧାନ ଶିକ୍ଷକ ଛାତ୍ରମାନଙ୍କୁ ତାଗିଦ କରିଥିଲେ l ପ୍ରଧାନ ଶିକ୍ଷକଙ୍କ ତାଗିଦ ପରେ ୩୯ ଛାତ୍ର ହଷ୍ଟେଲ ଛାଡ଼ିବା ପାଇଁ ନିଷ୍ପତି ନେଇଥିଲେ । ସମସ୍ତ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଛାତ୍ରମାନେ କାହାକୁ ନଜଣେଇ ରାତିରେ ହଷ୍ଟେଲ ଛାଡ଼ି କେଉଁଆଡ଼େ ପଳାଇଥିଲେ । ଛାତ୍ରମାନେ ହଷ୍ଟେଲ ଛାଡିଥିବା ଜାଣିବା ପରେ ପ୍ରଧାନ ଶିକ୍ଷକ ଏନେଇ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏତେ ଜଣ ଛାତ୍ର ହଷ୍ଟେଲରୁ ଯିବା ସମୟରେ କେହି କେମିତି ଦେଖି ପାରିଲେନି । ଛାତ୍ର ହଷ୍ଟେଲ ଛାଡ଼ିବା ପରେ କୌଣସି ଅଭିଭାବକଙ୍କର ବି ପ୍ରତିକ୍ରିୟା ମିଳିପାରିନି । ପୋଲିସ ଏ ଦିଗରେ ତଦନ୍ତ କରୁଥିବା ବେଳେ କିଛି ଛାତ୍ର ହଷ୍ଟେଲ ଫେରିଥିବା ସୂଚନା ରହିଛି ।

You might also like