ଶିକ୍ଷକଙ୍କ ଅଭିନବ ପ୍ରୟାସ, ସ୍କୁଲ ଦେଖିଲେ ଲାଗୁଛି ସତେ ଯେମିତି ପାରିଜାତ ପାର୍କ

ସୁନ୍ଦରଗଡ଼: ଛାତ୍ରାବସ୍ଥାରୁ ଦେଖିଥିବା ସ୍ୱପ୍ନ କେବେ ବାସ୍ତବରେ ପରିଣତ ହେବ ବୋଲି ସେ ଭାବି ନଥିଲେ, ଆଉ ପିଲାଟି ଦିନରୁ କିଛି ନୂଆ କରି ଦେଖାଇବାର ଆକାଂକ୍ଷା, ଅଭିଳାଷା ତଥା ପରିକଳ୍ପନା ଆଜି ବାସ୍ତବ ରୂପ ନେଇଛି । ଏହା ଦେଖି ଆପଣ ନିଶ୍ଚୟ ଭାବୁଥିବେ ଏ କୌଣସି ବଡ ଲୋକଙ୍କ ଘର କିମ୍ବା କୌଣସି ପାରିଜାତ ପାର୍କ ହୋଇଥିବ । ନା ଆଜ୍ଞା ଏ କୌଣସି ବଡ ଲୋକଙ୍କ ଘର କି ପାରିଜାତ ପାର୍କ ନୁହେଁ । ଏ ବାସ୍ତବ ଚିତ୍ର ଆପଣ ଯାହା ଦେଖୁଛନ୍ତି ତାହା ଥିଲା ଜଣେ ଶିକ୍ଷକଙ୍କ ସ୍ୱପ୍ନ ।

ଆଉ ସେହି ସ୍ବପ୍ନ ଯେ ଆଜି ତାଙ୍କ ଜୀବନରେ ଇନ୍ଦ୍ରଧନୁର ସାତୋଟି ରଙ୍ଗ ପରି ସୁସଜ୍ଜିତ ହୋଇଛି । ଏହି ସରଳ ସ୍ୱଭାବର ଶିକ୍ଷକଙ୍କ ପ୍ରୟାସରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଉଚ୍ଚ ବିଦ୍ୟାଳୟ ପାଇଛି ସ୍ଵତନ୍ତ୍ର ମାନ୍ୟତା । ଏହି ପାରିଜାତ ପାର୍କ ପରି ଝଳସୁଥିବା ବିଦ୍ୟାଳୟ ସତେ ଯେମିତି କୁନି ପିଲାଙ୍କୁ ମଣିଷ ଟିଏ କରି ଗଢି ତୋଳିବାକୁ ହାତ ଠାରି ଡାକ ଦେଉଛି । ଶିକ୍ଷକ ତ ଅନେକ ଦେଖିଥିବେ କିନ୍ତୁ ଏମିତି ଏକ ନୂତନ ପ୍ରୟାସ କରି ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ପାଲଟିଥିବା ଶିକ୍ଷକ ହେଉଛନ୍ତି କୁତ୍ରା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିଭୀଷଣ ବାରିକ ।

ପିଲାଟି ବେଳୁ ଇଚ୍ଛା ରଖିଥିଲେ ଚାକିରି କଲା ପରେ ଯେଉଁଠି ତାଙ୍କର କର୍ମମୟ ଜୀବନ ଆରମ୍ଭ କରିବେ ସେଠି କିଛି ନୂଆ କରି ଦେଖାଇବେ ଆଉ ଆଜି ଏ ହେଉଛି ତାର ବାସ୍ତବ ଚିତ୍ର । ପୂର୍ବରୁ ଏହି ବିଦ୍ୟାଳୟର ପିଲାମାନେ ଛପର ଘରେ ବସି ପାଠ ପଢୁଥିଲେ, ହେଲେ ଶିକ୍ଷକ ବିଭୀଷଣ ବାରିକଙ୍କ ପ୍ରଚେଷ୍ଟାରେ ଏ ବିଦ୍ୟାଳୟ ପାଇଛି ନୂଆ ଜୀବନ । ବିଦ୍ୟାଳୟକୁ ନୂଆ ରୂପ ଦେବାକୁ ପ୍ରଥମେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ କିଛି ଗ୍ରାମବାସୀଙ୍କ ସାହାଯ୍ୟ ନେଇଥିଲେ ବାରିକ ସାର୍ । ଯାହାକି ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ନୂଆ ରୂପ ପାଇବା ସହ ପିଲାଙ୍କ ଭବିଷ୍ୟତ ଗଢି ଚାଲିଛି ।

ଏହି ବିଦ୍ୟାଳୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଜାତୀୟ ଗ୍ରୀନ ପୁରସ୍କାର, ସ୍ବଚ୍ଛତା ପୁରସ୍କାର, ତିନି ଥର ପ୍ରକୃତିମିତ୍ର ପୁରସ୍କାର, ପାଞ୍ଚ ଥର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ପାଇ ସାରିଛି । ଆଉ ବିଦ୍ୟାଳୟର ଏହି କୃତିତ୍ୱକୁ ନେଇ ଅଞ୍ଚଳବାସୀ ଖୁବ୍ ଗର୍ବିତ । ଅନ୍ୟପଟେ ଦେଖିବାକୁ ଗଲେ କିଛି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ହେବାରୁ ବିଦ୍ୟାଳୟଗୁଡ଼ିକ ବନ୍ଦ କରି ଦିଆଯାଉଥିବା ବେଳେ ଏହି ବିଦ୍ୟାଳୟରେ ମାତ୍ର ତିନୋଟି ଶ୍ରେଣୀରେ ୭୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.