ଉଦଯାପିତ ହେଲା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ, ଆସନ୍ତା ବର୍ଷ ଆୟୋଜିତ ହେବ ଦ୍ଵିତୀୟ ବୁଦ୍ଧ ସମ୍ମିଳନୀ

ସରିଲା ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ୫ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ତଥା ଗୁରୁ ପଦ୍ମସମ୍ଭବ ସମାରୋହ । ଉଦଯାପନୀ ଦିବସରେ ସମସ୍ତ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ଲାମା ଓ ବୌଦ୍ଧ ଧର୍ମାବଲମ୍ବି ମାନେ ପ୍ରାର୍ଥନା ସ୍ଥଳରେ ପହଞ୍ଚି ବୌଦ୍ଧ ତ୍ରିପିଟକ ଗ୍ରନ୍ଥରୁ ମନ୍ତ୍ର ପାଠ ଓ ପ୍ରାର୍ଥନା କରିଥିଲେ । ଯାହାଫଳରେ ଗୁଞ୍ଜରିତ ହୋଇ ଉଠିଥିଲା ସମଗ୍ର ପରିବେଶ । ବୌଦ୍ଧ ପୀଠ ପରିସର ଏବଂ ଗୁରୁ ପଦ୍ମସମ୍ଭବଙ୍କ ପୁଣ୍ୟ କ୍ଷେତ୍ରରେ ସଫଳତାର ସହ ଏହି ଆଧ୍ୟାତ୍ମିକ ଯାତ୍ରା ଆୟୋଜିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ସମଗ୍ର ବିଶ୍ୱକୁ ଉଦୟଗିରିର ଏହି ବୁଦ୍ଧ ମନ୍ତ୍ର ଗାନ ଏବଂ ପ୍ରାର୍ଥନାର ବାଣୀ ପ୍ରସାରିତ ହେବା ସହିତ ବିଶ୍ଵଶାନ୍ତି ଓ ମାନବ କଲ୍ୟାଣ ପାଇଁ ପ୍ରେରଣା ଦେବ ବୋଲି ଆଶା ପୋଷଣ କରାଯାଇଛି । ଏଥିସହ ଉଦୟଗିରିକୁ ବିଶ୍ୱ ସମୁଦାୟ ସହ ଯୋଡିବାକୁ ପ୍ରୟାସ କରାଯିବ ବୋଲି ଆୟୋଜକ ମାନେ କହିଥିଲେ । ହୀରକ ତ୍ରିଭୁଜର କେନ୍ଦ୍ରସ୍ଥଳ ଉଦୟଗିରି ସହ ପୂଜ୍ୟ ଲାମା ଓ ବୌଦ୍ଧ ସନ୍ୟାସୀ ମାନେ ରତ୍ନଗିରି ଓ ଲଳିତଗିରି ବୌଦ୍ଧ ବିହାର ପରିଦର୍ଶନ କରି ମହାବିହାର ଅଗଣାରେ ମନ୍ତ୍ର ପାଠ କରିଥିଲେ ।
ଉଦଯାପନୀ ସମାରୋହରେ ସମଗ୍ର କାର୍ଯ୍ୟକ୍ରମର ଆୟୋଜକ ଆମେରିକାର କାଲି ଫଣ୍ଣିଆ ସ୍ଥିତ ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନେସନାଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ୱାଙ୍ଗମୋ ଡିକ୍ସି ଉଦବୋଧନ ଦେବା ସହ ଆସନ୍ତା ବର୍ଷ ମଧ୍ୟ ହୀରକ ତ୍ରିଭୁଜ ପରିସରରେ ଜାନୁୟାରୀ ୧୧ରୁ ୧୬ପର୍ଯ୍ୟନ୍ତ ଦ୍ଵିତୀୟ ବୁଦ୍ଧ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ । ଉଦଯାପନୀ ପ୍ରଦୀପ ପ୍ରଜ୍ବଳନ ସମୟରେ ବିଭିନ୍ନ ରାଷ୍ଟ୍ରର ଧର୍ମଗୁରୁ, ଥେରାବାଦ ଓ ମହାଯାନ ବୌଦ୍ଧ ସମ୍ପ୍ରଦାୟର ବର୍ଷିଆନ ଭିକ୍ଷୁ ମାନେ ଉପସ୍ଥିତ ଥିଲେ ।
ଉତ୍ସବର ସଫଳତା ଆୟୋଜନ ସହଯୋଗ ପାଇଁ ସ୍ଥାନୀୟ ଶୋଭାନୀୟ ଶିକ୍ଷାଶ୍ରମ, ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ଏବଂ ବୌଦ୍ଧ ସଂଗଠକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଥର ପାଇଁ ଓଡ଼ିଶାର ଉଦୟଗିରି ଠାରେ ଅନୁଷ୍ଠିତ ଏହି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ୧୭ଟି ରାଷ୍ଟ୍ରରୁ ପାଖାପାଖି ୧୫ଶହ ବୌଦ୍ଧ ସନ୍ୟାସୀ ଯୋଗଦେଇଥିବା ବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏହି ସମାରୋହ ଏକ ନୂଆ ଅଧ୍ୟାୟ ଯୋଡିବ ବୋଲି ଆଶା ପୋଷଣ କରାଯାଉଛି ।