ଅପରେସନ୍‌ ଟାଇଗର ସକ୍‌ସେସ୍‌ , ଭୁବନେଶ୍ୱର ବିମାନବନ୍ଦର ନିକଟରୁ କଲରାପତରିଆକୁ କାବୁ କଲା ବନ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍) : କାବୁ ହେଲା ବାଘ । ଜନ୍ତାରେ ପଡ଼ିଲା କଲରାପତରିଆ । ଅପରେସନ୍‌ ଟାଇଗରରେ ଭୁବନେଶ୍ୱର ବିମାନବନ୍ଦର ନିକଟରୁ କଲରାପତରିଆ ବାଘକୁ ଧରିଲା ବନ ବିଭାଗ । ଗତକାଲି ଦିନ ୧୧ଟାରୁ ବିଳମ୍ବିତ ରାତି ଯାଏଁ ଚାଲିଥିଲା ଅପରେସନ୍‌ । ଶେଷରେ ରାତି ପାଖାପାଖି ତିନିଟା ବେଳେ ବାଘକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା । ଯନ୍ତାରେ ପଡ଼ିଥିଲା ବାଘ । ତାକୁ ଧରିବା ପାଇଁ କୁକୁଡ଼ା ଥୋପ ଦିଆଯାଇ ୭ଟି ଯନ୍ତା ବସାଯାଇଥିଲା । ଅପରେସନ ଟାଇଗରରେ ସାମିଲ ହୋଇଥିଲେ ବନ ବିଭାଗର ତିନିଟି ଟିମ୍‌, ନନ୍ଦନକାନନର ୮ ଜଣିଆ ଟିମ୍‌ ଏବଂ ଓୟୁଏଟିର ଜଣେ ବିଶେଷଜ୍ଞ । ପ୍ରତି ଟିମ୍‌ରେ ଥିଲେ ଜଣେ ଜଣେ ଟ୍ରାଙ୍କୁଲାଇଜର । ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା । ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲିବା ନେଇ ସିସିଟିଭି କ୍ୟାମେରାରେ ଚିତ୍ର କଏଦ ହେବା ପରେ ତତ୍ପର ହୋଇଉଠିଥିଲା ବନବିଭାଗ । ପାଚେରୀ ଡେଇଁ ବାଘଟି ଆସି ଘର ଗେଟ୍‌ ଆଗରେ ଚକ୍କର କାଟିବା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ବାଘକୁ ଶୀଘ୍ର କାବୁ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ ।