ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ଜାଣନ୍ତୁ କିଏ କେତେ ଗରା ଜଳରେ ସ୍ନାନ କରିବେ

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ଅଣାଯାଇଥିଲା। ଶେଷରେ ଝୁଲି ଝୁଲି ଆସିଥିଲେ କାଳିଆ ସାଆନ୍ତେ। ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ ଗରା ଜଳରେ ସ୍ନାନ କରାଯିବ। ଆଉ ଏହାପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯିବ।

କାଳିଆ ଠାକୁରଙ୍କୁ ୩୫ ଗରା, ବଡ଼ଭାଇ ଶ୍ରୀବଳଭଦ୍ରଙ୍କୁ ୩୩, ଉଭଣୀ ସୁଭାଦ୍ରା ଦେବୀଙ୍କୁ ୨୨ ଓ ଶ୍ରୀସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିବେ। ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ।

ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଇବେ । ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରୀଜିଉଙ୍କର ସ୍ନାନ ନୀତି ଦେଖିବାକୁ କାହିଁ କେତେ ବାଟରୁ ଶ୍ରୀକ୍ଷେତ୍ରକୁ ଛୁଟି ଆସିଛନ୍ତି ଭକ୍ତ। ସ୍ନାନବେଦୀରେ ଚକା ଆଖିକୁ ଦେଖି ବିଭୋର ହୋଇଛନ୍ତି ।

 

Leave A Reply

Your email address will not be published.