ଡାକ୍ତରୀ ଛାତ୍ରଛାତ୍ରୀ କରୁଛନ୍ତି ପଥପ୍ରାନ୍ତ ନାଟକ, ଅପରାଧୀଙ୍କୁ ଧରିବାକୁ କରୁଛନ୍ତି ଆନ୍ଦୋଳନ

କଟକ : ଚାଲିଛି ପଥପ୍ରାନ୍ତ ନାଟକ । ଆଉ ଅଭିନୟ କରୁଥିବା ପ୍ରତ୍ୟେକଟି ଚରିତ୍ର ହେଉଛନ୍ତି ଡାକ୍ତରୀ ଛାତ୍ର ଛାତ୍ରୀ । ହେଲେ ଏମାନେ ଏଭଳି ଭାବେ ପଥପ୍ରାନ୍ତ ନାଟକ କାହିଁକି କରୁଛନ୍ତି? ଆଜ୍ଞା କୋଲକାତାର ଏକ ହସ୍ପିଟାଲ୍ ରେ ଟ୍ରେନି ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ ଓ ପରେ ତାଙ୍କ ଜୀବନ ନିଆଯିବା ଘଟଣାରେ ନ୍ୟାୟ ଦାବିରେ ଧାରଣାରେ ବସିଥିବା ଡାକ୍ତରୀ ଛାତ୍ର ଛାତ୍ରୀ ମାନେ ଏହି ପଥପ୍ରାନ୍ତ ନାଟକ କରିଥିବା ଦେଖିବାକୁ ମିଳିଛି ।

ନିତିଦିନ ଡ୍ୟୁଟି କରୁଥିବା ସମୟରେ କିଭଳି ଭାବେ ଡାକ୍ତର ଚାପର ସମ୍ମୁଖୀନ ହୋଇଥାଏ ଓ ଏହା ସହ ଆକ୍ରମଣର ଶୀକାର ମଧ୍ୟ ହୋଇଥାଏ ତାହାକୁ ଏହି ପଥପ୍ରାନ୍ତ ନାଟକ ଜରିଆରେ ଦେଖାଇଥିଲେ । ସେହିଭଳି ପଥପ୍ରାନ୍ତ ନାଟକ ଜରିଆରେ ପ୍ରତିବାଦ ମଧ୍ୟ କରିଛନ୍ତି ସମସ୍ତେ । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ମନ୍ତ୍ରୀ କାହିଁକି ଏହି ଧାରଣାରତ ଛାତ୍ରଛାତ୍ରୀ ମାନଙ୍କ ପାଖକୁ ଆସି ଆଲୋଚନା କରୁନାହାନ୍ତି ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟପଟେ ଏହି ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ନେଇ ସୁପ୍ରିମକୋର୍ଟ ଏକ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି । ଏହି ଟାସ୍କ ଫୋର୍ସ ସର୍ବୋଚ୍ଚ ନ୍ୟାୟଳାୟର ତତ୍ୱାବଧାନରେ ଗଠନ ହେବ । ଏଥିରେ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କହିଛନ୍ତି କୋର୍ଟ ।

ଏହାସହିତ ଡାକ୍ତରମାନଙ୍କୁ ମଧ୍ୟ ବିକ୍ଷୋଭରୁ ଓହରି ଯିବା ପାଇଁ କହିଛନ୍ତି କୋର୍ଟ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କୁ ସ୍ଵାଗତ କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଦୁଷ୍କର୍ମ ଓ ଜୀବନ ନେବା ଭଳି ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ଆନ୍ଦୋଳନ ଚାଲିଥିବ ବୋଲି କହିଛନ୍ତି ଜୁନିଅର୍ ଡାକ୍ତର । ସେହି ଭଳି ରୋଗୀ ସେବା ମଧ୍ୟ ବ୍ୟାଘାତ ହେଉଥିବା କଥାକୁ ସ୍ଵୀକାର ମଧ୍ୟ କରିଛନ୍ତି, କିନ୍ତୁ ଅତ୍ୟାବଶ୍ୟକୀୟ ସେବା ଚାଲୁ ରହିବ ବୋଲି କହିଛନ୍ତି ।

କଟକ ଏସସିବିରେ ଅଷ୍ଟମ ଦିନରେ ପହଞ୍ଚିଛି ଡାକ୍ତର ଛାତ୍ରଛାତ୍ରୀ ମାନଙ୍କ ଆନ୍ଦୋଳନ । ବର୍ବର କାଣ୍ଡ ଭିଆଇଥିବା ସମସ୍ତ ଅପରାଧୀଙ୍କୁ ଦଣ୍ଡ ନମିଳିବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ । ତେବେ କେବେ ଧାରଣା ହଟିବ ଓ ସ୍ଵାଭାବିକ ହେବ ରୋଗୀ ସେବା ତାହା ଏବେ ବି ଅସ୍ପଷ୍ଟ ।

 

You might also like