ନବରଙ୍ଗପୁର : ୨୫ ଘଣ୍ଟା ପରେ ଉଠିଲା ମୃତଦେହ। ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ଉଠିଲା ନାବାଳିକାର ମୃତଦେହ । ଗତକାଲି ଦିନ ପ୍ରାୟ ଗୋଟାଏରୁ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ପାତ୍ରପୁଟ ଫାଣ୍ଡି ଅଞ୍ଚଳରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିଲେ । ସଂଧ୍ୟା ସମୟରେ ତାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ।
ନବରଙ୍ଗପୁର ଓ ତେନ୍ତୁଳୀଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ କରିଥିଲେ। ତେବେ ପୋଲିସ ହାତରେ ଅଭିଯୁକ୍ତର କୌଣସି ସୁରାକ ମିଳିନଥିଲା । ଫଳରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ମନାକରିଥିଲେ। ଏହା ସହ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ଓ ଅଭିଯୁକ୍ତକୁ ଗିରଫ ଦାବି କରିଥିଲେ । ଶେଷରେ ପ୍ରଶାସନର ଲିଖିତ ପ୍ରତିଶ୍ରୁତି ନାବାଳିକାର ମୃତଦେହ ଉଠିଛି। ମୃତକଙ୍କ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଦିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଆଗାମୀ ୧୫ ଦିନରେ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।