ଜଗତସିଂହପୁର : ଲୋକଙ୍କୁ ଭଲ ବ୍ୟବହାର ଦେଖାଅ । ଲୋକଙ୍କୁ ଅଯଥା ହଇରାଣ କରନାହିଁ । ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନିଅ । ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କିଛି ନିର୍ଦ୍ଦେଶ ପୋଲିସ ଅଧିକାରୀଙ୍କୁ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କଲାନି ପୋଲିସ । ଥାନାକୁ ଅଭିଯୋଗ କରିବାକୁ ଆସିଲେ ପୋଲିସ ଭୟ ଦେଖାଉଛି । ଜଗତସିଂହପୁରରୁ ଏପରି ଏକ ଅଭିଯୋଗ ଆସିଛି ।
ସୂଚନା ଅନୁସାରେ ଜଗତସିଂହପୁର ଥାନାରେ ଅବ୍ୟବ୍ୟସ୍ଥାକୁ ନେଇ ପୋଲିସ ବାବୁଙ୍କ ଉପରେ ବର୍ଷିଲେ ବିଧାୟକ ଅମରେନ୍ଦ୍ର ଦାସ । ଅଭିଯୋଗ କରିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଅସହଯୋଗ କରିବା ସହିତ ମୌଳିକ ସୁବିଧା ମଧ୍ୟ ଯୋଗାଉ ନାହାନ୍ତି ପୋଲିସ। ଗତକାଲି ବିଳମ୍ବିତ ରାତିରେ କାଠିଆ ପଡା ଗାଁର ବିଜୟ ମହାନ୍ତି ନାମକ ଅଭିଯୋଗକାରୀ ଜଗତସିଂହପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ମାତ୍ର ଅଭିଯୋଗ ଲେଖିବା ପାଇଁ ଥାନାରେ କାଗଜ ନଥିବା କହି ଜଣେ ପୋଲିସ ଅଫିସର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ।
ସେହି ସମୟରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ତାଙ୍କ ବ୍ୟକ୍ତିଗତ କାମରେ ଥାନାକୁ ଯାଇଥିବା ବେଳେ ଏହି ଘଟଣାକୁ ଜାଣିବାକୁ ପାଇଥିଲେ । ପରେ ଅମରେନ୍ଦ୍ର ପୋଲିସଙ୍କୁ ତାଗିଦ କରିବା ସହିତ ଅଭିଯୋଗ ଲେଖିବାକୁ କିଛି ପ୍ୟାକେଟ କାଗଜ ଓ କଲମ ଦେଇଥିବା ଦେଖାଯାଇଛି । ଅନ୍ୟପଟେ ବିଧାୟକ କହିଛନ୍ତି କେବଳ ଗୋଟିଏ ନୁହେଁ ବରଂ ସବୁ ଥାନା ଲୋକଙ୍କୁ ସହଯୋଗ କରିବା ଆବଶ୍ୟକ।