ଆଜି ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ, ପୁରୀରେ କରାଯିବ ଅନ୍ତିମ ସଂସ୍କାର

ୱାୟନାଡ଼ରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩୩୪ ରେ ପହଞ୍ଚିଛି। ଏବେ ବି ୨୭୪ ନିଖୋଜ ଅଛନ୍ତି। ଯେତେ ଖୋଜିଲେ ସେତେ ମିଳୁଛି ମୃତଦେହ। କିନ୍ତୁ ଭୂସ୍ଖଳନ ଏତେ ଭୟଙ୍କର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ସରି ପାରୁ ନାହିଁ। ସବୁଠି ପହଞ୍ଚି ପାରୁ ନାହାନ୍ତି ଉଦ୍ଧାରକାରୀ । ଅନ୍ୟପଟେ ମୃତ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରାଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ବିଜୟୱାଡ଼ା ଅତି କ୍ରମକଲାଣି। ଭୁବନେଶ୍ୱରରୁ ପ୍ରାୟ ୭ ଶହ କିଲୋମିଟର ଦୂରରେ ଅଛନ୍ତି। ଆଜି ରାତି ସୁଦ୍ଧା ମୃତଦେହ ଚୌଦ୍ଵାର ପହଞ୍ଚିବାର ସମ୍ଭାବନା ରହିଛି। ପୁରୀରେ କରାଯିବ ମୃତ ଡାକ୍ତରଙ୍କ ଅନ୍ତିମ ସଂସ୍କାର। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲୀପ ରାଉତରାୟ ଓ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଅର୍ଘ୍ୟ ପ୍ରଧାନ କେରଳ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରି ଏକ ସ୍ବତନ୍ତ୍ର ଆମ୍ବୁଲାନରେ ବିଷ୍ଣୁପ୍ରସାଦଙ୍କ ମୃତଦେହ ପଠାଇଛନ୍ତି। ଏଯାଏ ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ ଅଛନ୍ତି। ଆଜି ବିଷ୍ଣୁ ପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ଡ. ମୁପେନ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଆଜି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିବେ।

ପ୍ରକାଶ ଯେ, ଗୋପ ଥାନା ଅଧୀନ କୁଆଁପଡ଼ା ପଞ୍ଚାୟତ ପରାଳଗାଁର ବିଷ୍ଣୁ ପ୍ରସାଦ ଚିନ୍ନରା ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ମେଡିସିନ ବିଭାଗରେ ପିଜି କରୁଥିଲେ। ଜନ୍ମଦିନ ପାଳନ କରିବାକୁ ସେ ପତ୍ନୀ ପ୍ରିୟଦର୍ଶିନୀ ପାଲ , ବନ୍ଧୁ ସ୍ବାଧୀନ ପଣ୍ଡା ଏବଂ ସ୍ବାଧୀନଙ୍କ ବାନ୍ଧବୀଙ୍କ ସହିତ ୨୬ ତାରିଖ ଦିନ କେରଳ ଯାଇଥିଲେ। ୱାୟନାଡରେ ପହଞ୍ଚି ଏକ ଘରୋଇ ହୋଟେଲରେ ସେ ରାତ୍ରିଯାପନ କରିଥିଲେ। ୩୦ ତାରିଖ ରାତିରେ ହଠାତ୍ ପାହାଡ଼ ଭୂସ୍ଖଳନ ହେବାରୁ ବିଷ୍ଣୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ ପ୍ରିୟଦର୍ଶିନୀଙ୍କ ଜୀବନ ବଞ୍ଚି ଯାଇଥିବାବେଳେ ବିଷ୍ଣୁ ପ୍ରସାଦଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

 

 

You might also like