ନୂଆବର୍ଷରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା, ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ଜାରି
କାମାକ୍ଷାନଗର : ନୂଆବର୍ଷରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ବି ପୋଲିସ ହାତ ଖାଲି । ଅଭିଯୁକ୍ତ ମକୁ ଫେରାର ଥିବାବେଳେ ଧରିବାକୁ ତନାଘନା ଜାରି ରହିଛି । ପୋଲିସ ୩ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଢେଙ୍କାନାଳ ଏସପି ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଘଟଣା ଏତେ ଭୟଙ୍କର ଥିଲା ଯେ ଗାଁଲୋକ ମୁହଁ ଖୋଲୁନାହାଁନ୍ତି । ଏସପି କହିଛନ୍ତି ପୂର୍ବ ଶତ୍ରୁତାରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।
ଗତକାଲି ଗାଁ ଦାଣ୍ଡରେ ରାକେଶ ସେଠୀଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା ମକୁ । ଢେଙ୍କାନାଳ ପରଜଙ୍ଗ ଥାନା ବସୋଈ ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗାଁ ଦାଣ୍ଡରେ ରାକେଶର ପାଦ, ମୁଣ୍ଡ, ହାତ, ଗଣ୍ଡି ବିଭିନ୍ନ ଜାଗାରେ ପଡ଼ିଥିଲା । ରାକେଶ ସାଇକେଲରେ ଚିକେନ ଆଣିବା ପାଇଁ ଯାଉଥିବା ବେଳେ ରାସ୍ତାରେ ମକୁ ତାଙ୍କୁ ଅଟକାଇବା ସହ ଟାଙ୍ଗିଆରେ ଆକ୍ରମଣ କରିଥିଲା ।
ସୂଚନା ଅନୁଯାୟୀ ଅଭିଯୁକ୍ତ ମକୁ ବିଶ୍ବାଳର ଭାଇକୁ ଗତ ୨ବର୍ଷ ପୂର୍ବେ ଗାଁ ଜଙ୍ଗଲ ନିକଟରେ ହତ୍ୟା କରାଯାଇଥିଲା । ଏଥିରେ ରାକେଶର ସଂପୃକ୍ତି ଥିବା ନେଇ ମକୁ ସନ୍ଦେହ କରୁଥିଲା । ଗତ କିଛି ଦିନ ତଳେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ମଧ୍ୟ ହୋଇଥିଲା । ଯାହାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।