ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, ଚିନ୍ତାରେ ଉମରକୋଟ ବାସୀ

ଉମରକୋଟ: ସହରଟି ବାହାରୁ ଦେଖିବାକୁ ଅତି ସୁନ୍ଦର, ହେଲେ ଗଳି କନ୍ଦିର ଅବସ୍ଥା କହିଲେ ନସରେ । ଯେଉଁ ଆଡେ ଦେଖିବେ, କୁଢ଼ କୁଢ଼ ଅଳିଆ ଓ ଆବର୍ଜନା । କିନ୍ତୁ ଏବେ ବି ପ୍ରଶାସନର ନିଦ ଭାଙ୍ଗୁନି ଯାହା ଫଳରେ ଉମରକୋଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ଉମରକୋଟ ଏବେ ଡେଙ୍ଗୁର ହବ୍ ପାଲଟିଛି ଯାହାଦ୍ୱାରା ପ୍ରତିଦିନ ନୂଆ ନୂଆ ରୋଗୀ ଚି଼ହ୍ନଟ ହେଉଛନ୍ତି । ସରକାରୀ ହିସାବରେ ବର୍ତ୍ତମାନ ସୁଧା ଡେଙ୍ଗୁ ପରୀକ୍ଷା ପାଇଁ ୬୨ ଜଣଙ୍କ ରକ୍ତ ନମୁନା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।

ସେଥିମଧ୍ୟରୁ ପ୍ରାୟ ୧୮ ଜଣଙ୍କ ମଧ୍ୟରେ ଡେଙ୍ଗୁ ପଜେଟିବ ବାହାରି ଥିବା ସୂଚନା ମିଳିଛି । କିନ୍ତୁ ଉମରକୋଟରେ ବେସରକାରୀ ଭାବେ ଅଧିକ ଡେଙ୍ଗୁ ରୋଗୀ ଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା ହେଉନଥିବା ବେଳେ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ବାଧ୍ୟ ହୋଇ ବାହାରେ ଡେଙ୍ଗୁ ପରୀକ୍ଷା କରି ଚିକିତ୍ସା ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ପ୍ରତି ୱାର୍ଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ଉମରକୋଟ ପୌର ପରିଷଦର ଦୁଇରୁ ତିନୋଟି ୱାର୍ଡରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ଥିବା ଅନୁମାନ କରାଯାଉଛି ।

କିଛି ରୋଗୀ ନିଜେ ନିଜେ ବାହାରେ ଯାଇ ଚିକିତ୍ସିତ ହୋଇ ସୁସ୍ଥ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପ୍ରଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରୁଛନ୍ତି ଡେଙ୍ଗୁରୁ ସୁସ୍ଥ ହୋଇ ଫେରିଥିବା ରୋଗୀ । ତେବେ ଅନ୍ୟପଟେ ଉମରକୋଟ ସହରରେ ଡେଙ୍ଗୁ ନିୟନ୍ତ୍ରଣ ହେଉନଥିବା ଅଭିଯୋଗକୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡାକ୍ତର.ଶରତ ଚନ୍ଦ୍ର ସେଠି ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଆମ ଟିମ ଏହି ଦିଗରେ କାର୍ଯ୍ୟ କରୁଛି ଏବଂ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।

ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା ହୋଇପାରୁନାହିଁ ବୋଲି ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ନବରଙ୍ଗପୁରକୁ ପଠାଯାଉଛି । ଯେହେତୁ ଏଠାରେ ଡେଙ୍ଗୁ ପରୀକ୍ଷା ନିମନ୍ତେ ଏଲିଶା ମେସିନ ନାହିଁ ତେଣୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ଶରତ ଚନ୍ଦ୍ର ସେଠି କହିଛନ୍ତି ଏ ବିଷୟରେ ସେ ସିଡି ଏମ ଓଙ୍କୁ ଜଣେଇଛନ୍ତି ଏବଂ ଏହି ମାସ ଶେଷ ସୁଦ୍ଧା ଏଲିଶା ମେସିନ ଆସିଯିବ ଏବଂ ଉମରକୋଟରେ ଡେଙ୍ଗୁ ପରୀକ୍ଷା ହୋଇପାରିବ ।

ପରିସ୍ଥିତି ଉପରେ ନଜର ରଖିଥିବା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରୀତି ରଞ୍ଜନ ସାହୁ ପ୍ରକାଶ କରିଛନ୍ତି ଡେଙ୍ଗୁ ନିରାକରଣ ପାଇଁ ଉମରକୋଟ ପୌର ପରିଷଦ ତତ୍ପରତା ପ୍ରକାଶ କରିଛି । ଏହି ନିରାକରଣ କାର୍ଯ୍ୟକ୍ରମ ୯ ନମ୍ବର ୱାର୍ଡ ଠାରୁ ଆରମ୍ଭ କରାଯାଇଛି । ଏହି ୱାର୍ଡ଼ରେ ଥିବା ସମସ୍ତ ନାଳ ଓ ନର୍ଦ୍ଦମା ସ୍ଥାନ ଗୁଡିକରେ ମଶା ଧୁଆଁ ଓ ମଶା ତେଲ ସିଞ୍ଚନ କରାଯାଇଛି । ଏହି କାର୍ଯ୍ୟ ଆଗାମୀ ଦିନରେ ସମସ୍ତ ୱାର୍ଡରେ କରିବା ପାଇଁ ପରିଷଦ ନିଷ୍ପତି ନେଇଛି । ସବୁ ସ୍ଥାନରୁ ଅଳିଆ ଆବର୍ଜନା ସଫା କରିବାରେ ଚେଷ୍ଟା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.